ଗଣତନ୍ତ୍ରରୁ ଅଲଗା, ଅଲୋଡା ହୋଇଯାଉଛି କି ଗଣ ?

ଆଜି ସାରା ଦେଶରେ ପାଳିତ ହେଉଛି ୭୨ତମ ସାଧାରଣତନ୍ତ୍ର ଦିବସ। ଅନେକ ଆଶା, ସ୍ୱପ୍ନ ନେଇ  ଦିନେ ତିଆରି ହୋଇଥିଲା ସ୍ୱାଧୀନ ଭାରତର ସମ୍ବିଧାନ। ହେଲେ ଏହି ଆଶା…ସ୍ୱପ୍ନ….ବାଟବଣା ହୋଇଯାଇଛି କି ? ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର  ପ୍ରତ୍ୟାହାର କରି ନେଇଛନ୍ତି କି ? ଏହା ଉପରେ ପ୍ରଦୀପ ନାୟଙ୍କର ସ୍ୱତନ୍ତ୍ର ଆଲେଖ୍ୟ…

ଭାରତ ସ୍ୱାଧୀନ ହେବାର ପାଖାପାଖି ଅଢ଼େଇ ବର୍ଷ ପରେ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ଛବିଶ ତାରିଖରେ ନିଜକୁ ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା କଲା । ଏହି ଘୋଷଣାନାମାର ଲିଖିତ ଦସ୍ତାବିଜ ହେଲା ଆମ ସମ୍ବିଧାନ । ଏହାର ମୂଳ ଲକ୍ଷ୍ୟ ‌ବିଷୟକ ବୟାନ ହେଲା – ଏହା ଜନତାଙ୍କ ପାଇଁ, ଜନତାଙ୍କ ଦ୍ୱାରା ଓ ଜନତାଙ୍କର । ସାଧାରଣ ଜନତାର ସ୍ୱପ୍ନ, ସ୍ୱାର୍ଥ,ଶ୍ରମ, ସମର୍ପଣ,ସମାନତାର ଏହା ସଜାଗ ପ୍ରହରୀ । ଉତ୍ତରଦାୟୀ ମଧ୍ୟ ।

ଗଣତନ୍ତ୍ରର ଉଦ୍ଦେଶ୍ୟ ହେଉଛି ଗଣର ଅନୁକୁଳ ବା ଗଣସ୍ୱପ୍ନର ପକ୍ଷଧର ହୋଇ ନିଜକୁ ପରିପୁଷ୍ଟ କରିବ ।‌ ଜନତା ହିଁ ଗଣତନ୍ତ୍ରର ଜନକ । ସମ୍ବିଧାନର ‌ସଂରକ୍ଷକ । ଗଣତନ୍ତ୍ରର କାର୍ଯ୍ୟାନ୍ୱୟନରେ ସମ୍ବିଧାନ ଯେଉଁ ତିନୋଟି ଆୟୁଧ ରଖିଅଛି ତାହା ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା । ଏହା ବ୍ୟତୀତ ଚତୁର୍ଥଟି ହେଉଛି ଗଣମାଧ୍ୟମ । ଏହି ଚାରୋଟି‌ ଧାରା ଏକ ଏକ ସ୍ତମ୍ଭ ହୋଇ ଗଣତନ୍ତ୍ରର ସୁରକ୍ଷା ଓ ପୁଷ୍ଟ କରିବେ । ଏହି ଯୋଜନା ଜନତାଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଅଛି । ଅର୍ଥାତ୍ ନିଜ ପାଇଁ ନିଜେ ନିୟାମକ ହୋଇଛି ଜନତା ।

ପରାଧୀନ ଭାରତବର୍ଷକୁ ସ୍ୱାଧୀନ କରିବା ପାଇଁ ଯେଉଁ ମହାସଂଗ୍ରାମୀମାନେ ସ୍ୱପ୍ନ ଦେଖିଥିଲେ ତାହା କେବଳ ବିଦେଶୀ ହଟାଇବାରେ ସୀମିତ ନଥିଲା । ସେମାନଙ୍କ ଇଚ୍ଛା, ଅଭିଳାଷ ସହ ଯୋଡ଼ି ହୋଇ ରହିଥିଲା ସ୍ୱାଧୀନତା ପରବର୍ତ୍ତୀ ଭାରତର ସୁପରିଚାଳନା ।

ଉତ୍କଳମଣି ଗୋପବନ୍ଧୁ ଗଣରାଜ୍ୟର ସ୍ୱପ୍ନ ଏବଂ ସ୍ୱରୂପକୁ ପରିକଳ୍ପନା କରିଥିଲେ ନିଜ କବିତାରେ-

” ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି ,ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି ।

ପ୍ରଜା ଲାଗି ଉଦେ ରବି ଶଶି ତାରା ,ପ୍ରଜା ଲାଗି ବହେ ଶତ ନଦୀ ଧାରା ।’’ 

ଗୋପବନ୍ଧୁଙ୍କ ପରିକଳ୍ପନାରେ ଗଣତନ୍ତ୍ରର ସୃଷ୍ଟିକର୍ତ୍ତା ସ୍ୱୟଂ ବ୍ରହ୍ମା ହୋଇଥିବାରୁ , ପ୍ରଜାବର୍ଗ ସେତିକି ଭାଗ୍ୟବାନ ହୋଇପାରିବେ ଏବଂ ଯାହାଙ୍କ ତୁଷ୍ଟି ନିମନ୍ତେ ଇନ୍ଦ୍ର ଆବଶ୍ୟକତା ଅନୁସାରେ ଜଳବୃଷ୍ଟି କରିବେ, ନଦନଦୀ ଜଳଧାରଣ କ୍ଷମତା ରଖିବେ । ଏମିତିକି ପ୍ରଜାନୁରଞ୍ଜନ ‌ ପାଇଁ ସୂର୍ଯ୍ୟ ଚନ୍ଦ୍ର ତାରାଗଣ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବେ । ଅର୍ଥାତ୍ ଗଣତନ୍ତ୍ରରେ ପ୍ରଜା‌ ହିଁ ଶ୍ରେଷ୍ଠ ଓ ସମ୍ମାନନୀୟ ।

ଯେତେ ଯେତେ ଉନ୍ନତିକର,ସୁଖକର କାର୍ଯ୍ୟ ହେବ ତାହା ପ୍ରଜାଙ୍କ ନିମନ୍ତେ ହିଁ ଉଦ୍ଦିଷ୍ଟ ହେବ । ଉତ୍କଳମଣି ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଗଣତନ୍ତ୍ରରେ ରାଜଧର୍ମ ବା ରାଜନୈତିକ ନେତୃତ୍ୱ ନେଉଥିବା ଶାସକମାନଙ୍କର କର୍ତ୍ତବ୍ୟ କିପରି ହେବା ବିଧେୟ । ତାଙ୍କ ଭାଷାରେ ” ଭାରତର ରାଜଧର୍ମ ସନାତନ,ପ୍ରଜା ରକ୍ଷଣ ପାଳନ ରଞ୍ଜନ । ନସହିଵ କଷ୍ଟ କେହି ଅନାହାରେ, ନମରିବ ଦୁଃଖୀ ଧନୀକ ପ୍ରହାରେ, ଡରାଇ ଶାସିବା ନୀତି ଭାଙ୍ଗିଯିବ, ପ୍ରଜାଙ୍କ ମତରେ ଶାସନ ଚାଲିବ ।”

ଏହି ଉକ୍ତିରୁ ଉତ୍କଳମଣି କେତେ ସ୍ପଷ୍ଟ ଚିତ୍ରଟିଏ ପ୍ରଦାନ କରିଛନ୍ତି ଗଣତନ୍ତ୍ର ତଥା ପ୍ରଜାତନ୍ତ୍ରର ଶାସନ ବ୍ୟବସ୍ଥା ବିଷୟରେ ସତରେ ! ଶାସିତର ସୁଖ,ସୁରକ୍ଷା ନିମନ୍ତେ ଶାସକକୁ କିପରି ଭୁମିକା ନିର୍ବାହ କରିବାକୁ ପଡ଼ିବ ତାହା ମଧ୍ୟ ଉଲ୍ଲେଖ କରି ଯାଇଛନ୍ତି । କେହି ଯେପରି ଭୋକିଲା ନରହନ୍ତି , କେଉଁ ଧନୀକ,ଅତ୍ୟାଚାରୀର ବେତ ଦୁର୍ବଳ ପ୍ରଜାର ପିଠିରେ ନବସେ ।

ଆଜି ଏପରି ପ୍ରତୀୟମାନ ହେଉଛି, ଶାସକ ଗୋଷ୍ଠୀ ଗଣତନ୍ତ୍ର ଶାସନର ଇସ୍ତାହାର ଯେପରି ପ୍ରତ୍ୟାହାର କରି ନେଇଛି । ସାଧାରଣ ଜନତାର ଆସ୍ଥା ଭୁଶୁଡ଼ି ପଡ଼ିଛି ଶାସକ ଓ ଶାସନ ବ୍ୟବସ୍ଥା ଉପରୁ । ବିଭିନ୍ନ ଭେଳିକି ଦେଖାଇ ଜନତାଙ୍କୁ କିଛି ସମୟ ପାଇଁ ମୋହଗ୍ରସ୍ତ କରି ତାର ଏକତାକୁ ଛିନ୍ନଭିନ୍ନ କରି ଦିଆଯାଇଛି । ଜାତି ଜାତିରେ ବିଦ୍ୱେଷ,  ସ୍ୱାର୍ଥ ସ୍ୱାର୍ଥରେ ଅସମାନତା, ଧର୍ମ ଧର୍ମରେ ସଂକୀର୍ଣତାର ମଞ୍ଜି ବୁଣି ନିଜ ଆସନକୁ ଯତପରୋନାସ୍ତି ସୁରକ୍ଷିତ ରଖିବା ଶାସକର ସର୍ବପ୍ରଥମ କର୍ତ୍ତବ୍ୟ ହୋଇଯାଇଛି ।

ଆମ ଦେଶ ପରାଧୀନ ସମୟରେ କେବଳ ବିଦେଶୀ ମାନଙ୍କ ବିରୋଧରେ ଲଢ଼ିବାକୁ ଏକ ହୋଇନଥିଲା ବରଂ ଧର୍ମ,ଜାତି,ଉଚ୍ଚ ନୀଚ,ଶିକ୍ଷିତ ଅଶିକ୍ଷିତ ଉର୍ଦ୍ଧ୍ୱରେ ଭାରତୀୟ ତାକୁ ନେଇ ଗର୍ବ କରିବା ଶିଖିଥିଲା । ଏକତାର ସୂତ୍ରରେ ମାନବତାର ମାଞ୍ଜା ଦେଇ ନିଜକୁ ଶାଣିତ କରିଥିଲା ଗୋଟିଏ ନାଆଁରେ । ସେ ଏକତା ଏ ମାଟି ,ପାଣି,ପବନ,ଏ ବନସ୍ପତି ତଥା ଏ ସନାତନ ସଂସ୍କୃତି ଶିଖେଇ ଥିଲା । ଯାହା ସବୁ ଆପତକାଳରେ ସାଧାରଣ ଜନତା ମନରେ ସୁଖଶାନ୍ତିର ଆସ୍ଥା ଦେଇଥିଲା । ପରସ୍ପର ପ୍ରତି ଶ୍ରଦ୍ଧା, ସମ୍ମାନରେ ସୁଦୃଢ ସାମାଜିକ ସହବନ୍ଧନର ପ୍ରତିଷ୍ଠା ହୋଇ ପାରିଥିଲା । କିନ୍ତୁ ଆଜି ଆମେ ଗଣତନ୍ତ୍ରର ଦ୍ୱାହି ଦେଇ ଯେଉଁ ଅନିଶ୍ଚିତ, ଶଙ୍କିତ ଜୀବନ ଜୀଉଚେ ତାହାକୁ କଣ ଆମେ ଗଣତନ୍ତ୍ରର ଦାନ ବୋଲି କହିପାରିବା ?

ଗଣତାନ୍ତ୍ରିକ ଦେଶର ଜନତା ହେବାର ଭାଗ୍ୟ ଆମେ ସତୁରୀ ବର୍ଷ ଭୋଗି ସାରିଛେ । ଏହି ସମୟ ଭିତରେ ଏକଥା ସ୍ପଷ୍ଟ ହେବାକୁ ଲାଗିଛି ଯେମିତି ସାଧାରଣ ମଣିଷ ଗଣତନ୍ତ୍ରରୁ ଅଲଗା ,ଅଲୋଡା ହୋଇଯାଇଛି । ଗଣତନ୍ତ୍ରରେ ଗଣର ସ୍ଥାନ ନାହିଁ । କିଛି ମୁଷ୍ଟିମେୟଙ୍କ ହାତର ଏହା କ୍ରୀଡନକରେ ପରିଣତ ହୋଇଯାଇଛି । ଗଣଵିକାଶର ଯେଉଁ ବିଜ୍ଞାପନୀୟ ହୋ ହଲ୍ଲା ଚାଲିଛି,ତାହା ସାଧାରଣ ମଣିଷକୁ ଆଖିଥାଇ ଜଳକା,ଭେକହୀନ ଭକୁଆରେ ପରିଣତ କରିଅଛି । ବିକାଶର ଭାଷା ଓ ଦିଗବାଗ ତାକୁ ନୂଆ ,ବିଲକୁଲ ବିପରୀତ ବୋଧ ହେଉଛି ।

ନଈବଢିରେ ତା’ର କ୍ଷେତ ଧୋଇନଯିବା,ମହାବାତ୍ୟାରେ ତା’ର ଘର ଭାଙ୍ଗି ନ ଯିବା, ତା’ ବାଡିବଗିଚାରୁ ପ୍ରକୃତି ପ୍ରେମ ମିଳିବା, ତା’ର ଶ୍ମଶାନରୁ ତୁଳସୀ ବାସ ଆସିବା ,ତା’ ଦେବାଳୟରୁ ସମ୍ଭାବନାର ସାନ୍ତ୍ଵନା ମିଳିବା, ତା’ ଗୋଚର ଜମିରେ ଗୋଧନ ଚରାଇବା ଯେମିତି ଆଉ ବିକାଶରେ ପରିଗଣିତ ହେଉନାହିଁ । ବଢିରେ କ୍ଷେତ ଧୋଇଯିବାରେ ଯାହାଙ୍କ ଚତୁର ହାତ ସେଇ ହାତ ଲମ୍ବିଆସେ ଫସଲବୀମାର ସ୍ୱପ୍ନ ଦେଖାଇ , ବାତ୍ୟାଧ୍ୱସ୍ତ ତା’ ଘରତୋଳା ପାଇଁ ଆର୍ଥିକ ସହାୟତା ନାଆଁରେ ତା’ କାନ୍ଥରେ ଲଗାଇ ଦିଆଯାଏ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଯୋଜନା ଫଳକ । ଅର୍ଥାତ୍ ତା’ର ଘର ତାର ନୁହଁ।ଏହାର ମାଲିକ ନେତା। ତା ଶ୍ମଶାନରୁ ତୁଳସୀ ଚୋରାଇ ତାକୁ ପୁଣି ବୋତଲରେ ଅର୍କ କରି ଫେରେଇ ଦେଇ ଅସୁଲ କରନ୍ତି ଜନତାର କଷ୍ଟୋପାର୍ଜିତ ଧନ । ପ୍ରକୃତି ପ୍ରେମକୁ ପରିବର୍ତ୍ତିତ କରନ୍ତି କିଛି ବୋନସାଇ,କୁଣ୍ଡ ଯୁକ୍ତ ଫୁଲ ଆଉ ଚିକଚିକ୍ କରୁଥିବା କଂକ୍ରିଟ,ମାର୍ବଲ କେଦାରରେ ।

ଦେଶରେ ଉଣେଇଶ କୋଟି ଲୋକେ ରାତିରେ ଭୋକିଲା ରୁହନ୍ତି। ପ୍ରତିଦିନ ଭୋକ, ପୁଷ୍ଟିହୀନତାରୁ ସାତ ହଜାର ଲୋକ ପ୍ରାଣ ହରାନ୍ତି। ତା ସତ୍ତ୍ୱେ ଦେଶ ନିଜକୁ ଖାଦ୍ୟଶସ୍ୟର ବଳକା ରାଷ୍ଟ୍ର ବୋଲି ଡିଣ୍ଡିମ ପିଟେ । ଆହୁରି ଚକିତକାରୀ କଥାବି ଘଟେ ଦେଶରେ , ଦିନକୁ ଅଢେଇ ଶହ କୋଟି ମୂଲ୍ୟର ଖାଦ୍ୟ ନଷ୍ଟ ହୁଏ ମଧ୍ୟ ଏଇ ଦେଶରେ । ଏଇ ବୋଧେ ଆମ ବିବିଧତା । ଏଇ ବୋଧେ ଆମ ଆତ୍ମୀୟ ଏକତା ।

ପଞ୍ଚଷଠୀ ଭାଗ‌ ଦେଶର ଯୁବଗୋଷ୍ଠୀ ପାଇଁ ଯାହା ଯୋଜନା ହୁଏ ତାହା ଅତ୍ୟନ୍ତ‌ ବିମର୍ଷକର ଓ ଚିନ୍ତାଜନକ । ସ୍କୁଲ କଲେଜ ସ୍ତରରୁ ସେମାନଙ୍କ ପଛରେ ରାଜନୈତିକ ମୋହର । ସେମାନଙ୍କ ସ୍ୱପ୍ନର ମାଲିକ୍ ଆଉ‌କେହି । ସ୍ମାର୍ଟଫୋନ, ଡାଟା ଓ ପକେଟ୍ ମନିରେ ସେମାନଙ୍କୁ ସୀମିତ କରିବାର ଚତୁର ଚକ୍ରାନ୍ତ । ଯୋଜନା ବିହୀନ ଯୁବଗୋଷ୍ଠୀକୁ ରାଜନୈତିକ ଇଚ୍ଛାରେ ବ୍ୟବହାର ‌କରିବାର ଘାତକ ପରିଣାମ ଯେ ନିଆଁ ସହ ଖେଳିବା,ତାହା ବୁଝିବାରେ ଅହେତୁକ ବିଳମ୍ବ କ୍ରମଶଃ ସାମାଜିକ ଦୁରାବସ୍ଥାକୁ ନିମନ୍ତ୍ରଣ କରୁଥିବା ଅନୁଭବ ହେଉଅଛି।

ସାଧାରଣ ନିରନ୍ନ ମଣିଷକୁ ଗତ କିଛି ବର୍ଷରୁ ଶାସନ ବ୍ୟବସ୍ଥା ଏଇକଥା ଯେପରି ଶିଖେଇ ଦେଇଛି ଯେ, ‘ତୋର ଗଣତନ୍ତ୍ର ରାଷ୍ଟ୍ରରେ ସବୁଠୁ ବଡ଼ ସୌଭାଗ୍ୟ ଯେ ତୁ ବଞ୍ଚିରହିଚୁ । ଆଉ ସବୁ ଯାହା‌ ଦେଖୁଚୁ,ଯାହା ଭାବୁଚୁ ତାହା ନିରର୍ଥକ , ସେସବୁରେ ତୋର‌ ଅଧିକାର ନାହିଁ ।
ଲେଖକ:ପ୍ରଦୀପ ନାୟକ, ବନ୍ଧପଡା,ମଦନପୁର,                                                                                                   କେନ୍ଦ୍ରାପଡ଼ା, ଫୋନ:୮୯୧୭୩୭୦୨୨୭   

                                                                            

You might also like