• ପୁଣି ବଢିଲା ପ୍ଲାଟ୍‌ଫର୍ମ ଟିକେଟ୍‌ର ଦାମ
  • ଥରକେ ଦାମ ବଢିଲା ୫ ଗୁଣା
  • ଜୁନ ପର୍ଯ୍ୟନ୍ତ ଟିକେଟ୍‌ର ମୂଲ୍ୟ ହେବ ନାହିଁ ହ୍ରାସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦାମ ବଢାଇବାରେ ବ୍ୟସ୍ତ। ଗୋଟିଏ ପଟେ ଦେଶରେ ଯେପରି ଭାବରେ ତୈଳ ଦର ସବୁ ବଢିବାରେ ଲାଗିଛି ତାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତେଜୁଥିବା ବେଳେ ପୁଣି ଦରଦାମ ବଢିବାର ମିଳିଛି ସଂକେତ। ଖୁବଶୀଘ୍ର ସାଧାରଣ ଲୋକଙ୍କ ଉପରେ ପଡିବାକୁ ଯାଉଛି ଆଉ ଏକ ମହଙ୍ଗା ମାଡ଼।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ରେଳ ମହଙ୍ଗା କରିଛି ପ୍ଲାଟଫର୍ମ ଟିକେଟ୍। ୫ ନୁହେଁ କି ୧୦ ନୁହେଁ ଏକା ସାଙ୍ଗରେ ପ୍ରାୟ ୫ ଗୁଣା ବଢାଇ ଦେଇଛି ପ୍ଲାଟଫର୍ମ ଟିକେଟ୍‌ର ଦର। ବର୍ତ୍ତମାନ ସମୟରେ ଯେଉଁ ଟିକେଟ୍ ଆପଣମାନଙ୍କୁ ୧୦ ଟଙ୍କାରେ ମିଳୁଥିଲା ତାହାକୁ ପାଇବାକୁ ହେଲେ ଆଗାମୀ ଦିନରେ ଆପଣଙ୍କୁ ଦେବାକୁ ପଡିବ ୫ ଗୁଣା ଅଧିକ ଅର୍ଥ। ଏବେ କିନ୍ତୁ କରୋନାର ବାହାନା ନେଇ ଟିକେଟ୍ ବଢାଇ ପାଇଁ ନିଷ୍ପତ୍ତି ନେଇଛି ରେଲୱେ। ବିଭାଗୀୟ ଅଧିକାରୀ ସଫେଇ ଦେଇ କହିଛନ୍ତି,ଆଗାମୀ ଦିନରେ ଦେଶର ବିଭିନ୍ନ ଷ୍ଟେସନରେ ଲୋକଙ୍କର ଭିଡ଼ ଜମିବ। ତେଣୁ ଲୋକଙ୍କର ଭିଡ଼ କମାଇବାକୁ ବିଭାଗ ଏ ନିଷ୍ପତ୍ତି ନେଇଛି।

ଗୋଟିଏ ପଟେ କରୋନା ମହାମାରୀ ଲୋକଙ୍କ ଅଂଟା ଭାଙ୍ଗିଦେଇଛି। ଏବେ ବି ଅଂଟା ସଳଖି ଠିଆ ହୋଇପାରିନାହାନ୍ତି ଆମ ଜନତା। କିନ୍ତୁ ବିନା ପର୍ବାରେ ଗୋଟିଏ ପରେ ଗୋଟିଏର ଦାମ ବଢାଉଛନ୍ତି ସରକାର। କରୋନା ନିୟମ ମାନିବାକୁ ଦିନ ରାତି ୨୪ ଘଂଟା ଲୋକଙ୍କୁ ସଚେତନ କରାଯାଉଛି। ଅନେକ ସଚେତନ ମଧ୍ୟ ହେଲେଣି, ତେଣୁ କରୋନା କମିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଆଉ ଏବେ ପୁଣି ସେହି କରୋନାକୁ ବାହାନା କରି ପ୍ଲାଟଫର୍ମର ଟିକେଟ୍ ବଢାଇବାକୁ ଇଚ୍ଛା କରୁଛି ରେଲୱେ।

ସେଣ୍ଟ୍ରାଲ ରେଲୱେ ମୁମ୍ବାଇ ମେଟ୍ରୋପଲିଟନ୍ ରିଜିୟନ(MMR) ର ପ୍ରମୁଖ ଷ୍ଟେସନମାନଙ୍କରେ ପ୍ଲାଟଫର୍ମ ଟିକେଟର ଦାମ୍ ୫ ଗୁଣା ପର୍ଯ୍ୟନ୍ତ ବଢାଇ ଦେଇଛି । ପ୍ଲାଟଫର୍ମରେ ଟିକେଟର ନୂଆ ଦାମ୍ ୧ ମାର୍ଚ୍ଚରୁ ଲାଗୁ ହୋଇସାରିଛି ଯାହାକି ୧୫ ଜୁନ୍ ପର୍ଯ୍ୟନ୍ତ ରହିବ। ସେପଟେ ସେଣ୍ଟ୍ରାଲ ରେଲୱେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍(CSMT), ଦାଦର ଓ ଲୋକମାନ୍ୟ ତିଳକ ଟର୍ମିନସ ଓ ଥାଣେ, କଲ୍ୟାଣ, ପନୱେଲ ଓ ଭିବଣ୍ଡି ରୋଡ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ୍ ୧୦ ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରିଦିଆଯାଇଥିବା ନେଇ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ଦେଶର ଅନେକ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି ହେବ ବୋଲି ସୂଚନା ରହିଛି।

ଏହା ପୂର୍ବରୁ ମାର୍ଚ୍ଚ ୨୦୨୦ରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଭାରତୀୟ ରେଲୱେ ପ୍ଲାଟଫର୍ମ ଟିକେଟ୍ ଦାମ୍ ବଢାଇବା ପାଇଁ ନିଷ୍ପତି ନେଇଥିଲା । ସେଣ୍ଟ୍ରାଲ ରେଲୱେ ମୁମ୍ବାଇ, ପୁଣେ, ଭୁସାବଳ ଓ ସୋଲାପୁର ଡିଭିଜନରେ ପ୍ଲାଟଫର୍ମ ଟିକେଟ୍ ଦାମ୍ ୧୦ ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରିଦେଇଥିଲା। କିନ୍ତୁ ପୁଣି ଥରେ ପ୍ଲାଟଫର୍ମ ଟିକେଟ ବଢାଇବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକ।

Other Stories