ପ୍ରକୃତି କାହା ନିୟନ୍ତ୍ରଣରେ ନାହିଁ। ଖରା, ବର୍ଷା, ଶୀତ ନିଜ ବାଟରେ ଆସ ଆଉ ଯାଏ। ହେଲେ ଏକ ଆଦିବାସୀ ସଂପ୍ରଦାୟର ଲୋକେ ବିଶ୍ୱାସ କରନ୍ତି ତାଙ୍କର ରାଣୀ ବର୍ଷାକୁ ନିଜ ନିୟନ୍ତ୍ରଣରେ ରଖି ପାରନ୍ତି।  ତାଙ୍କ ନିମନ୍ତ୍ରଣରେ ବର୍ଷା ଆସିଥାଏ। ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରାନ୍ତରେ ରୁହନ୍ତି ଏଇ   ଆଦିବାସୀ ସମୁଦାୟ । ଏହି ସଂପ୍ରଦାୟର ଲୋକେ ବିଶ୍ୱାସ କରନ୍ତି, ତାଙ୍କ ଭବିଷ୍ୟତର ରାଣୀଙ୍କ ପାଖରେ ରହିଛି ବର୍ଷାକୁ ନିୟନ୍ତ୍ରଣ କରିବା ପରି କ୍ଷମତା। ଏହି ଆଦିବାସୀ ସଂପ୍ରଦାୟର ରାଣୀଙ୍କ ନାଁ ହେଉଛି ମେସଲେନବୋ ମୋଦ୍‌ଜଜୀ (Masalanabo Modjadji) । ୨୦୨୩ରେ ସେ ଲିମ୍ପୋପୋ ପ୍ରାନ୍ତର ସପ୍ତମ ରାଣୀର ସମ୍ମାନ ପାଇବେ। ଏହି ରାଣୀଙ୍କୁ ଏବେ ବୟସ ହୋଇ ନ ଥିବାରୁ ତାଙ୍କର ଭାଇଙ୍କୁ ଏହି ପ୍ରାନ୍ତର ଦାୟିତ୍ୱ ଦିଆଯାଇଛି। ହେଲେ ତାଙ୍କର କ୍ଷମତା ଅସ୍ଥାୟୀ। ରାଜକୁମାରୀଙ୍କ ବୟସ ହେଲା ପରେ ସେ ଏହି ପ୍ରାନ୍ତରର ରାଣୀ ହେବ ଏବଂ ଶାସନ କ୍ଷମତା ସମ୍ଭାଳିବେ।

ଆଶ୍ଚର୍ଯ୍ୟ ଲାଗେ, ଆଧୁନିକ ସଭ୍ୟତାରେ ନାରୀ ଏତେ ଅବହେଳାର ଶିକାର ହେଉଥିବାବେଳେ ଏଠି ନାରୀକୁ ଏତେ ସମ୍ମାନ କେମିତି ଦିଆଯାଉଛି ? ରାଣୀଙ୍କ ହାତରେ ଶାସନ କ୍ଷମତା କେମିତି ଦିଆଯାଇଛି ? ତେବେ ରାଣୀମାନେ ଶାସନ କରିବା ପୂର୍ବରୁ ଏଠାରେ ପୁରୁଷମାନଙ୍କ ହାତରେ ରହୁଥିଲା ଶାସନ ଡୋରୀ। କୁହଯାଏ, ଆଜକୁ ୪୦୦ ବର୍ଷ ତଳେ ଏଠିକାର ଆଦିବାସୀ ସଂପ୍ରଦାୟ ଜିମ୍ବାୱେରୁ ଆସିଥିଲେ। ସେତେବେଳେ ପୁରୁଷଙ୍କ ହାତରେ ଥିଲା ଶାସନ ଡୋରୀ। ଏପରିକି ନିଜ କ୍ଷମତା ପାଇଁ ସେମାନେ ଲଢୁଥିଲେ ମଧ୍ୟ। ଏଥିପାଇଁ ହତ୍ୟାକାଣ୍ଡ ଭିଆଇବାକୁ ବି ଏମାନେ ପଛାଉ ନ ଥିଲେ। ଏଠିକାର ଲୋକଙ୍କ ବିଶ୍ୱାସ, ଏହି ପୁରୁଷ ରାଜାଙ୍କ ସ୍ୱପ୍ନରେ କୌଣସି ଐଶ୍ୱରିକ ଶକ୍ତି ଆସିଲା ଏବଂ ସେମାନେ ମହିଳାମାନଙ୍କୁ ଶାସନ କ୍ଷମତା ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେଲେ। ଏହା ପରଠାରୁ ରାଜାଙ୍କ ବଡ ଝିଅ ରାଜ୍ୟର ଶାସନ କ୍ଷମତା ସମ୍ଭାଳି ଆସୁଛି।

ଏହି ପ୍ରାନ୍ତର ପ୍ରଥମ ମହିଳା ଶାସକ ମୋଦ୍‌ଜଜୀ (Modjadji) ବୋଲି କୁହଯାଏ। Modjadjiର ଅର୍ଥ ହେଉଛି, ଶାସନ କରୁଥିବା ବ୍ୟକ୍ତି। କୁହାଯାଏ, ଏଠି ପ୍ରଥମ ରାଣୀ କ୍ଷମତାକୁ ଆସିବା କ୍ଷଣି ଏହି ପ୍ରାନ୍ତର ଅବସ୍ଥା ଧୀରେ ଧୀରେ ବଦଳିବାକୁ ଲାଗିଲା। ଯୁଦ୍ଧ ଆସ୍ତେ ଆସ୍ତେ ବନ୍ଦ ହୋଇଗଲା। ଏପରିକି ଅନ୍ୟ ପ୍ରାନ୍ତରର ଲୋକେ ଏଠାକୁ ବର୍ଷା କରାଇବା ପାଇଁ ଗୁହାରୀ କରିବାକୁ ଆସିଲେ। କାରଣ ସେମାନଙ୍କର ବିଶ୍ୱାସ ରାଣୀଙ୍କ ଉପରେ ବର୍ଷା ଦେବତାଙ୍କର କୃପା ରହିଛି।

ଏଠି ରାଣୀମାନେ ନିଜକୁ ଅନ୍ୟଠାରୁ ଭିନ୍ନ ବୋଲି ପ୍ରତିପାଦନ କିରବାକୁ ଚାହାନ୍ତି। ତେଣୁ ସେମାନେ ସବୁ ପ୍ରକାର ତନ୍ତ୍ର-ମନ୍ତ୍ର ଜପି ଅଭ୍ୟାସ କରିଥାନ୍ତି। ସେମାନଙ୍କ ଜୀବନର ସବୁଠାରୁ ଅଧିକ ସମୟ ଜଙ୍ଗଲରେ ଏକୁଟିଆ କଟାଇବାକୁ ପଡ଼ିଥାଏ । ସେଠାରୁ ସେ ପୁରୁଷ ସାଥୀଙ୍କୁ ପ୍ରଜାଙ୍କୁ କିପରି ଚଳାଇବେ ଆଦେଶ ଦେଇଥାନ୍ତି। ଏପରିକି ସେମାନେ ବିବାହ ମଧ୍ୟ କରନ୍ତି ନାହିଁ। ବରଂ ନିଜ ପରିବାରର ପୁରୁଷଙ୍କ ସହ ସମ୍ପର୍କ ରଖି ସନ୍ତାନ ଜନ୍ମ ଦେଇଥାନ୍ତି। ତେବେ ସେହି ପୁରୁଷ ରାଣୀଙ୍କର ପତି ବା ସାଥୀ ହୋଇ ନୁହେଁ,  କେବଳ ସନ୍ତାନ ଜନ୍ମର ଏକ ସାଧନ ଭାବେ ରୁହନ୍ତି। କେବଳ ଘର କାମ ବ୍ୟତୀତ ଅନ୍ୟ କୌଣସି କାମ ତାଙ୍କୁ କରିବାକୁ ଦିଆଯାଏ ନାହିଁ। ଏପରିକି ବାହାରକୁ ବାହାରିବାର ଅନୁମତି ମଧ୍ୟ ତାଙ୍କୁ ମିଳି ନ ଥାଏ। ଏଠି ମହିଳାମାନଙ୍କ କ୍ଷେତ୍ରରେ ଯାହା ହୁଏ, ସେଠି ପୁରୁଷଙ୍କ କ୍ଷେତ୍ରରେ ଠିକ ସେଇଆ ହିଁ ହୁଏ।

ପ୍ରଥମ ରାଣୀ ୧୮୦୦ରୁ ୧୮୫୪ ଯାଏ ଶାସନ କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ବଡ ଝିଅକୁ ଶାସନ କ୍ଷମତା ମିଳିଥିଲା। ଏହିପରି ପରମ୍ପରା ଆଗକୁ ବଢିଥିଲା। ଆଉ ଦୁଇ ବର୍ଷ ପରେ ଏହି ପ୍ରାନ୍ତର ରାଣୀ ହେବେ Masalanabo Modjadji । ଏହାକୁ ନେଇ ଉକ୍ତ ପ୍ରାନ୍ତର ଲୋକେ ଖୁବ୍‌ ଉତ୍ସାହିତ ଅଛନ୍ତି। କାରଣ ୫୦ ବର୍ଷ ପରେ ପୁଣି ଥରେ ଏହି ପ୍ରାନ୍ତରରେ ରାଣୀ ଶାସନ କରିବେ। କାରଣ ୩ ଜଣ ରାଣୀଙ୍କ ପରେ ୧୯୭୨ରେ କ୍ୱିନ କିଙ୍ଗଡମ୍‌ ପତନ ହୋଇଥିଲା। ସେମାନଙ୍କୁ କେବଳ ନାଁକୁ ରାଣୀ ରଖାଯାଉଥିଲା। ତାଙ୍କଠାରୁ ସବୁ ଅଧିକାର ଛଡ଼ାଇ ଦିଆଯାଉଥିଲା।  ୨୦୧୬ରେ ତତ୍କାଳ ରାଷ୍ଟ୍ରପତି ଜେକବ ଜୁମା ଏହି ପ୍ରାନ୍ତକୁ ଦକ୍ଷିଣ ଆଫ୍ରିକାରେ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ। ଏହା ପରଠାରୁ ରାଜକୁମାରୀ ଭାବି ରାଣୀଙ୍କ ମର୍ଯ୍ୟଦା ଦିଆଯାଇ ଆସୁଛି।

ତେବେ ରାଣୀ ହେବା ପରେ Masalanaboଙ୍କ ପାଖରେ ୧୦୦ ଗାଁ ରହିବ। ଏହି ଗାଁ ଉପରେ ସେ ଶାସନ କରିପାରିବେ। ଏଥି ସହିତ ରାଣୀ ଭାବେ ବଞ୍ଚିବା ପାଇଁ ତାଙ୍କୁ ସରକାରୀ ସାହାଯ୍ୟ ବି ମିଳିବ। Masalanaboଙ୍କ ମା’ ପ୍ରଥମ ରାଣୀ ଥିଲେ ଯିଏ ଇଂରାଜୀ କହିପାରୁ ଥିଲେ ଏବଂ କାର ବି ଚଲାଇ ପାରୁ ଥିଲେ। ସେ ବିଦେଶୀ ମିଡିଆ ସାମ୍ନାରେ ବି ନିଜ ମତ ରଖି ପାରୁଥିଲେ। ଏବେ ବି ଏଠିକାର ଭାବି ରାଣୀ ଅର୍ଥାତ୍‌ Masalanabo Modjadji ଜିମ୍ବାୱେରେ ରହି ପଢୁଛନ୍ତି।

ବୟସ ହେବା ପରେ ରାଜକୁମାରୀଙ୍କୁ କ୍ଷମତା ପ୍ରଦାନ କରାଯିବ। ତେବେ କ୍ଷମତାକୁ ଆସିବା ପୂର୍ବରୁ ତାଙ୍କୁ ରେନ ରିଚୁଆଲ୍ସ ବା ବର୍ଷାକୁ ଆମନ୍ତ୍ରଣ କରିବାର ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ପଡ଼ିବ। ଏହି ସମୟରେ ଚାଷକାମରେ ସହଯୋଗ କରୁଥିବା ପଶୁମାନଙ୍କୁ ମଧ୍ୟ ପୂଜନ କରାଯାଏ ଏବଂ ସାରା ରାତି ବର୍ଷା ଦେବତାଙ୍କୁ ଆବାହନ କରାଯାଏ । ତେବେ ପୂର୍ବ ରାଣୀଙ୍କ ପରି ଏହି ନବାଗତା ରାଣୀଙ୍କ ପାଖରେ ବର୍ଷାକୁ ଆଣିବାର କ୍ଷମତା ଅଛି କି ନାହିଁ ତାହା ଜଣା ପଡ଼ିନି।

ଏଠି କହି ରଖିବୁ, ଏହି ପ୍ରାନ୍ତରର ରାଣୀ ହେଲେ ବି ତାଙ୍କ ଜୀବନ ସାଧାରଣ ସ୍ତ୍ରୀଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବିଟ୍‌ସ ୟୁନିଭର୍ସିଟିର ଜଣେ ଗବେଷକ ଡେଭିଡ କାପଲେଣ୍ଡଙ୍କ କହିବା ଅନୁସାରେ, ଏଠାରେ ରାଣୀ ପୁରୁଷଙ୍କ ବଦଳରେ ମହିଳାମାନଙ୍କୁ ବିବାହ କରନ୍ତି। ବିବାହ ପରେ ଏହି ମହିଳାମାନେ ରାଜ ପରିବାରର ପୁରୁଷଙ୍କ ସହ ସମ୍ପର୍କ ରଖନ୍ତି। ତାଙ୍କଠାରୁ ସୃଷ୍ଟ ସନ୍ତାନଙ୍କୁ ରାଣୀଙ୍କ ସନ୍ତାନ ବୋଲି କୁହାଯାଏ। ତେବେ ରାଣୀଙ୍କ ଗର୍ଭରୁ କୌଣସି ସନ୍ତାନ ଜନ୍ମ ନେଇ ନ ଥାନ୍ତି।

Other Stories