ହୃଦୟଥରା ଦୃଶ୍ୟ ବର୍ଣ୍ଣନା କଲେ ଆହତ ଯବାନ- ଚାରିପଟୁ ଘେରି ଆଖିବୁଜା ଗୁଳି ବର୍ଷା କରୁଥିଲେ ମାଓବାଦୀ

ରାୟପୁର:ବିଜାପୁରରେ ମାଓବାଦୀ ଆକ୍ରମଣରେ ୨୪ ଯବାନ ସହିଦ ହେବା ପରେ ସାରା ଦେଶରେ ଶାକର ଲହରୀ ଖେଳି ଯାଇଛି।ଛତିଶଗଡର ବିଜାପୁର ଏବଂ ସୁକୁମା ଜିଲ୍ଲା ସୀମାରେ ଘଟିଥିବା ଏହି ବର୍ବର କାଣ୍ଡ ରଚିଥିଲେ ୪୦୦ରୁ ଅଧିକ ମାଓବାଦୀ । ଅବଶ୍ୟ ଆମ ଯବାନମାନେ ମାଓବାଦୀଙ୍କୁ ଏହି ଇଲକାରୁ ହଟାଇବାରେ ସଫଳ ହୋଇଛନ୍ତି। ତେବେ ଏହି ଘଟଣାରେ ୧୩ ଜଣ ଯବାନ ଆହତ ହୋଇ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ଯେଉଁ ଯବାନଙ୍କ ଦେହରେ ଗୁଳି ବାଜିଛି ସେମାନଙ୍କ ପ୍ରତିବଦ୍ଧତା ଆହୁରି ବଢି ଯାଇଛି। ମାଓବାଦୀଙ୍କୁ ଉଚିତ ଜବାବ ଦେବାକୁ ସେମାନେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି।

ଯବାନ-ମାଓବାଦୀ ମୁହାଁମୁହିଁ ଘଟଣାର ହୃଦୟଥରା ଆଖିଦେଖା ଦୃଶ୍ୟ ବର୍ଣ୍ଣନା କରିଛନ୍ତି ଜଣେ ଆହତ ଯବାନ। ବଲରାଜ ନାମକ ଜଣେ ଆହତ ଯବାନଙ୍କ କହିବା ଅନୁସାରେ, ମାଓବାଦୀମାନେ ଅତ୍ୟାଧୁନିକ ହତିଆର ସହ ନିଜେ ପ୍ରସ୍ତୁତ କରିଥିବା ଗୋଳାବାରୁଦରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ବଲରାଜଙ୍କ ପେଟରେ ଗୋଟିଏ ଗୁଳି ବାଜିଥିଲା। ଅନ୍ୟଜଣେ ସାଥୀ ଦେବପ୍ରକାଶଙ୍କ ପିଠିରେ ଗୁଳି ବାଜିଥିବା ମଧ୍ୟ କହିଛନ୍ତି ବଲରାଜ। ଏହାବ୍ୟତୀତ ସେକେଣ୍ଡ ଇନ କମାଣ୍ଡର ସନ୍ଦୀପ ଦ୍ୱିବେଦୀଙ୍କ ଛାତିରେ ଦୁଇଟି ଗୁଳି ବାଜିଥିଲା ବୋଲି ସେ କହିଛନ୍ତି।

ଆହତ ଯବାନ ବଲରାଜ କହିଛନ୍ତି, ‘ଶନିବାର ସକାଳେ ଆମେ ଟାର୍ଗେଟ ସାରି ଫେରୁଥିଲୁ। ଏହି ସମୟରେ ଆମେ ସୂଚନା ପାଇଥିଲୁ ଯେ ମାଓବାଦୀମାନେ ଆମକୁ ଟ୍ରାକିଂ କରୁଛନ୍ତି । ସେମାନେ ବହୁତ ସଂଖ୍ୟାରେ ଅଛନ୍ତି। ଏହା ପରେ ଆମେମାନେ  ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ଯାଇଥିଲୁ। ତୁରନ୍ତ ନିଜ ନିଜ ପୋଜିସନ ନେଇ ଯାଇଥିଲୁ।  ଏଥିସହିତ  ଅଲରାଉଣ୍ଡ ଡିଫେନ୍ସ ଲଗାଇ ବସି ରହିଲୁ। କିଛି ସମୟ ପରେ ମାଓବାଦୀମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେମାନେ ତିଆରି କରିଥିବା ଗୋଳାବାରୁଦ ଥିଲା। ସେମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ।’

ବଲରାଜ ଆହୁରି କହିଥିଲେ, ’ ସେମାନେ ଆମକୁ ଟାର୍ଗେଟ କରି ପ୍ରାଣମୂର୍ଚ୍ଚା ଆକ୍ରମଣ କରିଥିଲେ। ଆମେ ବି ଛାଡି ନ ଥିଲୁ।  ଆମେ ସେମାନଙ୍କୁ ଭଗାଇବା ପାଇଁ ବହୁତ ଚେଷ୍ଟା କରିଥିଲୁ। ଆମେ ତାଙ୍କୁ ଅନେକ ବାଟ ପର୍ଯ୍ୟନ୍ତ ହଟାଇ ଦେଇଥିଲୁ ମଧ୍ୟ। ତେବେ ଆକ୍ରମଣରେ ଆମର ବି କ୍ଷତି ହୋଇଥିଲା, ମାଓବାଦୀଙ୍କର ମଧ୍ୟ କ୍ଷତି ହୋଇଛି।

ନିଜ ଅନୁଭୂତି ବର୍ଣ୍ଣନା କରି ଅନ୍ୟଜଣେ ଯବାନ ଦେବ ପ୍ରକାଶ କହନ୍ତି, ‘ ଏହି ଘଟଣାରେ ମାଓବାଦୀମାନେ ଆମକୁ ଚାରିପଟୁ ଘେରି ଯାଇଥିଲେ। ଆଖିବୁଜା ଗୁଳିବର୍ଷା କରିଥିଲେ। ଏହା ପରେ ଆମେ ଗୋଟିଏ ପଟକୁ ଫାୟାରିଂ କରି ଆଗକୁ ବଢିଥିଲୁ। ହେଲେ ମାଓବାଦୀମାନେ ଆମକୁ ପିଛା କରୁଥିଲେ।  ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀଙ୍କର ମଧ୍ୟ ବହୁତ କ୍ଷତି ହୋଇଥିଲା। ହେଲେ ସେମାନଙ୍କ ମୃତଦେହ ଆଣିବାକୁ ସୁଯୋଗ ମିଳି ନ ଥିଲା। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଜୋରଦାର ଗୁଳିବର୍ଷା ହେଉଥିଲା। ’

ମାଓବାଦୀଙ୍କ ଏପରି ଆକ୍ରମଣରେ ଉତ୍ତ୍ୟକ୍ତ ଆହତ ଯବାନମାନେ କହିଛନ୍ତି, ଯଦି ସୁବିଧା ମିଳିବ ମାଓବାଦୀଙ୍କଠାରୁ ଏହାର ଉଚିତ ଜବାବ ଦେବୁ ଓ ଏହାର ପ୍ରତିଶୋଧ ନେବୁ।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲା ଡାକ୍ତରଖାନାରେ ପହଞ୍ଚି ଆହତ ଯବାନମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ବଘେଲା କହିଛନ୍ତି, ମାଓ ବିରୋଧୀ ଅଭିଯାନରେ କୌଣସି ଅବହେଳା କରାଯିବ ନାହିଁ। ଏହା ମାଓବାଦୀଙ୍କର ଶେଷ ଆକ୍ରମଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ ସିଆରପିଏଫ ଡିଜି କୁଲଦୀପ ସିଂହଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣ ଯବାନ ସହିଦ ହୋଇଛନ୍ତି। ତେବେ ମାଓବାଦୀଙ୍କର ମଧ୍ୟ ବହୁତ କ୍ଷତି ହୋଇଛି। ଏହି ସଂଘର୍ଷରେ ୨୫ରୁ ୩୦ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି।

You might also like