ବଢ଼ୁଛି କରୋନା ସଂକ୍ରମଣ; ୯ ଦିନ ପର୍ଯ୍ୟନ୍ତ ଏହି ସହରର ସମସ୍ତ ଦୋକାନ, ବଜାର ବନ୍ଦ ଘୋଷଣା

  • ନୂଆପଡ଼ାରେ କାୟା ବିସ୍ତାର କରୁଛି କରୋନା
  • ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ
  • ଏହି ସମୟରେ ସକାଳ ୫ଟାରୁ ୧୦ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିବ

ନୂଆପଡ଼ା: ଲଗାତାର ଭାବରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨,୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧,୭୩୩ ଜଣ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୨୫୬ ରହିଛି। ନୂଆପଡ଼ା ଜିଲ୍ଲାରୁ ୧୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକୁ ଦିନ ନୂଆପଡ଼ାରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ୯ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି। ଖଡ଼ିଆଳ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଘୋଷଣା ହୋଇଛି।

ଆସନ୍ତାକାଲିଠୁ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ ରହିବ। ଏହି ୯ ଦିନରେ କେବଳ ସକାଳ ୫ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି। କିଛି ଦିନ ହେବ ପଜିଟିଭ ସଂଖ୍ୟା ବୃଦ୍ଧି ହେବା ସହ କିଛି ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବଣିକ ସଂଘର ସଭାପତି ଜଣାଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ୯ ଦିନ ପର୍ଯ୍ୟନ୍ତ ଖଡ଼ିଆଳ ସହରର ସମସ୍ତ ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବଣିକ ସଂଘର ଏଭଳି ନିଷ୍ପତ୍ତିକୁ ଜିଲ୍ଲାପାଳ ସ୍ୱାଗତ କରିଛନ୍ତି।

ଅନ୍ୟପକ୍ଷେ, କରୋନାର ଦ୍ୱିତୀୟ ଲହର ଆସିବା ପରେ ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମା ସିନାପାଲିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ  ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ‌ ଘୋଷଣା କରିଛନ୍ତି। କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିବା ସହ ସିନାପାଲି ସିଏଚ୍‌ସି(ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର)ରେ ଅଧିକ ପଜିଟିଭ୍‌ ଚିହ୍ନଟ ହେବାରୁ ସିନାପାଲି ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ରାଜ୍ୟରେ ଆଜି ୨,୯୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୩୩ ଜଣ କ୍ୱାରେଣ୍ଟିନରେ ଥିବାବେଳେ ଲୋକାଲ କଣ୍ଟାକ୍ଟସ୍‌ ୧,୨୫୬ ରହିଛି। ସୁନ୍ଦରଗଡରୁ ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଏଠାରୁ ୬୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନାର ଦ୍ୱିତୀୟ ଲହର ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ବିଶ୍ୱର ୨୧୯ ଦେଶରେ କାୟା ବିସ୍ତାର କରିଛି କରୋନା।

You might also like