ମମତାଙ୍କ ଗଡ଼ରେ ଉଦ୍ଧବଙ୍କ ଏଣ୍ଟ୍ରି: ସଞ୍ଜୟ କହିଲେ ଖୁବ୍‌ଶୀଘ୍ର କୋଲକାତାରେ ପହଞ୍ଚିବୁ

ମୁମ୍ବାଇ: ମମତାଙ୍କ ଗଡ଼ରେ ଏଣ୍ଟ୍ରି ମାରିବ ଉଦ୍ଧବଙ୍କ ସେନା। ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଲାଣି ଶିବସେନା। ଏନେଇ ରବିବାର ଘୋଷଣା କରିଛନ୍ତି ଶିବସେନା ନେତା ସଞ୍ଜୟ ରାୱତ।

ଟ୍ୱିଟରେ ସୂଚନା ଦେଇ ସଞ୍ଜୟ ଲେଖିଛନ୍ତି “ ବହୁ ପ୍ରତିକ୍ଷୀତ ଅପ୍‌ଡେଟ୍ ଖବର ଶୁଣନ୍ତୁ, ଖୁବ୍‌ଶୀଘ୍ର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବ ଶିବସେନା। ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ସହିତ ଆଲୋଚନା ପରେ ଏପରି ନଷ୍ପତ୍ତି ନିଆଯାଇଛି। ଆମେ ଖୁବ୍‌ଶୀଘ୍ର କୋଲକାତାରେ ପହଞ୍ଚିବୁ….॥ ଜୟ ହୀନ୍ଦ। ”

ମେ ୩୦ ତାରିଖରେ ମମତା ସରକାରଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଆସାମରେ ମଧ୍ୟ ନିର୍ବାଚନ ପାଖଉଛି। ତେଣୁ ଆସନ୍ତା ସପ୍ତାହରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ସହିତ ନିର୍ବାଚନ ତମିଶନର ସୁଶୀଲ ତନ୍ଦ୍ର ଏବଂ ରାଜୀବ କୁମାର ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ଦୁଇଟି ରାଜ୍ୟରେ କେମିତି ନିର୍ବାଚନ ପ୍ରସ୍ତୁତି କରାଯିବ ସେ ନେଇ ଆଲୋଚନା କରିବେ।


ମମତାଙ୍କ ଗଡ଼ ଦଖଲ କରିବା ପାଇଁ ପୂର୍ବରୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ଏବେ ମୈଇଦାନକୁ ଶିବସେନା ଓହ୍ଲାଇବା ପଶ୍ଚିମବଙ୍ଗ ରାଜନୀତିକୁ ଆହୁରି ସରଗରମ କରିଛି। ତେବେ ଶିବସେନା ପୂର୍ବରୁ ଅସଦୁଦ୍ଦିନ ଓୱେସୀଙ୍କ ଦଳ AIMIM ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରି ସାରିଛି। ମମତାଙ୍କ ଗଡ଼ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି, ବନ୍ଧୁରୁ ଶତ୍ରୁ ହୋଇଥିବା କଂଗ୍ରେସ, ଏବେ ଶିବସେନା ଓ AIMIM ଆଦି ଦଳଗୁଡ଼ିକରେ ରଣହୁଙ୍କାର ମମତାଙ୍କ ପାଇଁ କେତେ ଭାରି ପଡ଼ିବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। ତେବେ ଶିବସେନାର ନିର୍ବାଚନ ଲଢ଼େଇ ଘୋଷଣା ପରେ ମମତା ବାନାର୍ଜୀ କିଭଳି ପ୍ରତିକ୍ରିୟା ଦେବେ ତା ଉପରେ ବି ସମସ୍ତଙ୍କ ନଜର ରହିଛି।

୨୦୧୩ ନିର୍ବାଚନ ବେଳକୁ ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ସେତେ ନଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ରାଜ୍ୟରେ ୧୮ ଟି ସିଟ୍ ହାତେଇଥିଲା। ଏହାପରେ ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ଯେ ବଢ଼ିଛି ଏକଥା ସ୍ପଷ୍ଟ ପ୍ରତୀୟମାନ। ଅନ୍ୟପଟେ ଟିଏମ୍‌ସିର କେତେକ ବଡ଼ ନେତା ବିଜେପିରେ ଯୋଗ ଦେଇଛନ୍ତି। ତନ୍ମଧ୍ୟରୁ ଶୁଭେନ୍ଦୁ ଅଧିକାରୀ ଜଣେ। ତେବେ ବାଂଲାଦେଶ ସୀମାକୁ ଲାଗିଥିବା ବୋର୍ଡର ଅଞ୍ଚଳର ମୁସଲମାନ ଭୋଟର AIMIM ଦଳକୁ ସମର୍ଥନ କରିପାରନ୍ତି। ଯଦି ଏପରି ହୁଏ ତେବେ ବି ଲାଭ ବିଜେପି ଖାତାକୁ ଯିବ ଓ ଟିଏମ୍‌ସି ରାଜ୍ୟରେ ଅଧିକ ଦୁର୍ବଳ ହେବ।

ଅନ୍ୟପଟେ ଜାନୁଆରୀ ୨୩ ତାରିଖରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ସେହି ଦିନ ହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦଯାତ୍ରା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଦୀର୍ଘ ୯ କିମି ପଦଯାତ୍ରା କରିବେ ମମତା।

 

You might also like