ଭୁବନେଶ୍ୱରରେ ପୁଣି ସେକ୍ସ ରାକେଟ୍ ଠାବ, ୩ ଦେହଜୀବୀ ଉଦ୍ଧାର
ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ଦେହ ବ୍ୟବସାୟ। ଦେହଜୀବୀମାନେ ଏହି କାରବାର ପାଇଁ ଭୁବନେଶ୍ୱରକୁ ଏବେ ସୁରକ୍ଷିତ ମଣୁଛନ୍ତି। ଆଜି ଏକ ସ୍ପା’ରେ ସେକ୍ସ ରାକେଟ୍ ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା କମିସନରେଟ୍ ପୁଲିସ୍।
ଖବର ମୁତାବକ, ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍ ନିକଟରେ ଥିବା ‘ମେ ମିଲନ୍ ହେୟାର ସ୍ପା’ରେ ଦେହ ବେପାର ଚାଲୁଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । କୁଇକ୍ ଆକ୍ସନ୍ ଟିମ୍ ଓ ଖାରବେଳ ନଗର ପୁଲିସ ମିଳିତ ଭାବେ ତୁରନ୍ତ ଉକ୍ତ ସ୍ପା’ରେ ଚଢ଼ଉ କରି ୩ ଦେହଜୀବୀଙ୍କୁ ଉଦ୍ଧାର କରିବା ସହିତ ୫ ଜଣ ଗ୍ରାହକଙ୍କୁ ଗିରଫ କରିଥିଲେ। ଚଢ଼ଉ ବେଳେ ପୁଲିସ ଆପତ୍ତିଜନକ ସାମଗ୍ରୀ ସହ ମୋଟର ସାଇକେଲ, ମୋବାଇଲ୍ ଫୋନ୍ ଓ ୩୫୦୦ ଟଙ୍କା ଜବତ କରିଛି।
ଭୁବନେଶ୍ୱରରରେ ଦେହ ବ୍ୟବସାୟ କମିଶନରେଟ୍ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଗତ ମେ’ ମାସରେ ନୟାପଲ୍ଲୀସ୍ଥିତ ପ୍ରଭାତୀ ଗେଷ୍ଟ ହାଉସ ଚଢ଼ାଉ କରି ଚାରିଜଣ ଗ୍ରାହକ ଓ ତିନିଜଣ ଦଲାଲଙ୍କୁ ଗିରଫ କରିଥିଲା ।
ସେହି ମାସରେ ରାଜଧାନୀର ବାପୁଜୀନଗର ଅଞ୍ଚଳ ସ୍ଥିତ ଏକ ସ୍ଫାରୁ ସେକ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଥିଲା କ୍ୟାପିଟାଲ ଥାନା ପୋଲିସ । ସେଠାରୁ ଥାଇଲାଣ୍ଡର ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ପା ମ୍ୟାନେଜର ସମେତ ୭ ଗ୍ରାହକଙ୍କୁ ଗିରଫ କରାଯାଇଥିଲା। ପରେ ଉକ୍ତ ଥାଇଲାଣ୍ଡ ଯୁବତୀମାନଙ୍କୁ ଦେଶାନ୍ତର କରାଯାଇଥିଲା।