ଆଜିଠାରୁ ନାଇଟ୍ କର୍ଫ୍ୟୁ : କଟକ, ଭୁବନେଶ୍ୱରରେ ୧୪୪ ଧାରା

 

  • ନାଇଟ୍ କର୍ଫ୍ୟୁ ପାଇଁ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି
  • ରାତି ୯ରୁ ସକାଳ ୫ ଯାଏ ବାହାରେ ବୁଲାବୁଲି କରିବାକୁ ସଂପୂର୍ଣ୍ଣ ବାରଣ
  • କଟକଣାରୁ ବାଦ୍ ଅତ୍ୟାବଶ୍ୟକ ସେବା

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ୧୪୪ ଧାରା । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବାକୁ  ନାଇଟ କର୍ଫ୍ୟୁ ସମୟରେ କଟକ ଓ ଭୁବନେଶ୍ୱରରେ ୧୪୪ ଜାରି କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି ।  ତେବେ ଏହି ସମୟରେ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟକ୍ତି ତଥା ସଂସ୍ଥା ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ମନା ହୋଇଛି  । ଏହି ସମୟରେ ରାଜଧାନୀ ଓ କଟକରେ ପଇନ୍ତରା ମାରିବ ପୋଲିସ୍ ।

ନାଇଟ କର୍ଫ୍ୟୁ କଡ଼ାକଡ଼ି ଲାଗୁ କରାଯିବା ସହ ବ୍ୟାପକ ପୋଲିସ ମୁତୟନ ହେବେ । ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଏହି ସମୟରେ ଅନୁମତି ମିଳିବ । ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଆସ କରିପାରିବେ । ଏହାସହ  ରେଳ ଷ୍ଟେସନ, ଏୟାରପୋର୍ଟ ଯାଉଥିବା ପବ୍ଲିକ ଟ୍ରାନ୍ସପୋର୍ଟକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି । ମେଡିକାଲ ଇମରଜେନ୍ସି ଥିଲେ ତତମ୍ବନ୍ଧୀୟ କାଗଜପତ୍ର ଦେଖାଇବାକୁ ପଡ଼ିବ ।

ଆଜି ରାତିରୁ କଟକ, ଭୁବନେଶ୍ୱରରେ ଲାଗୁ ହେଉଛି ନାଇଟ କର୍ଫ୍ୟୁ । ଏନେଇ ଆଜି ଭୁବନେଶ୍ୱରର ବିଭିନ୍ନ ଛକରେ ସଚେତନତା କରାଯାଇଛି । ପୋଲିସ୍ ପକ୍ଷରୁ ଘୋଷଣା କରାଯାଇ ଲୋକଙ୍କୁ ସତର୍କ କରାଯାଇଛି । କର୍ଫ୍ୟୁ ସମୟରେ ଜନସାଧାରଣଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ଆଶା କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ସେପଟେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ବି ଲାଗୁ ହେବ ।

ଅଧିକ ପ୍ରଭାବିତ ନୂଆପଡା ଜିଲ୍ଲାର ଖଡିଆଳ ଏନ୍ଏସିରେ ଆଜିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ । ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ମାସ୍କ ଚ୍ୟାକିଂ ସହ ନିୟମ ପାଳନକୁ କଡାକଡି କରାଯାଇଛି । ସେହିପରି କଟକ ଓ ଭୁବନେଶ୍ୱର ସମେତ ଅନ୍ୟ ୨୦ ଜିଲ୍ଲାର ସମସ୍ତ ପୌରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗିବ ।  ଦୋକାନ ବଜାରରେ ଭିଡ ନକରିବାକୁ ଅପିଲ୍ କରିଛନ୍ତି ବିଏମସି କମିଶନର । ଅନ୍ୟପକ୍ଷରେ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଡ଼ାକଡ଼ି ପାଳନ ଲାଗି କମିଶନରେଟ୍ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି ।

You might also like