ପୁଣି ଥରେ ଚୀନକୁ ଘେରିବ କରୋନା !
ବେଜିଂ: ଚୀନରେ କରୋନା ଭାଇରସର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଜଣେ ହେଲେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଏପରିକି ଚୀନରେ ଲକଡାଉନ କଟକଣା ମଧ୍ୟ ଉଠି ଯାଇଥିବା ଦେଖିବାକୁ ମିଳିଛି।
ଏସବୁ ଭିତରେ ଏବେ ବି ବୈଜ୍ଞାନିକମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଚ୍ୟାଲେଞ୍ଜଟି ହେଲା କରୋନା ଭାଇରସ ଦିତ୍ୱୀୟ ଥର ହେବାର ଆଶଙ୍କା।
ସାଇନ୍ସ ନେଚର ମାଗାଜିନ, ହଂକଂ ବିଶ୍ୱବିଦ୍ୟାଳୟର ଜଣେ ମହାମାରୀ ବିଶେଷଜ୍ଞଙ୍କ ଉକ୍ତିକୁ ଉଦ୍ଧାର କରି ଲେଖିଛି ଯେ, ଏବେ ଲକଡାଉନରୁ ମୁକ୍ତି ଓ ଟିକିଏ ବିଶ୍ରାମ କରିବାର ସମୟ। ଏପ୍ରିଲ ଶେଷ ସୁଦ୍ଧା ଏହି ଭାଇରସ ପୁଣି ଥରେ ଚୀନକୁ ଘେରିବ ବୋଲି ଆଶଙ୍କା କରାଯାଉଛି।
ସମ୍ପୃକ୍ତ ବିଶେଷଜ୍ଞ କହିଛନ୍ତି ଯେ, କରୋନା ଭାଇରସର ପ୍ରଭାବ ଚୀନର ହୁବେଇ ପ୍ରାନ୍ତରୁ ଆରମ୍ଭ ହୋଇ ଉହାନରୁ ସମଗ୍ର ଚୀନ୍ ଏବଂ ପରେ ୟୁରୋପୀୟ ଦେଶ ଏବଂ ଆମେରିକାକୁ ବ୍ୟାପିଛି। ଏହାର ପ୍ରଭାବରେ ସମଗ୍ର ବିଶ୍ୱରେ ପରିବହନ ଉପରେ ପ୍ରତିବନ୍ଧକ ଲଗାଯିବା ସହ ସୀମାକୁ ସିଲ୍ କରାଯାଇଛି।
ସେ ଆହୁରି କହିଛନ୍ତି, ୟୁରୋପରେ ଯେଉଁଭଳି ଭାବରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି, ତାହା ଦେଖି ଲାଗୁଛି ଯେ, ପ୍ରାୟତଃ ଦୁଇ ବର୍ଷ ପର୍ଯ୍ୟନ୍ତ ବାକି ଲୋକଙ୍କୁ କରୋନା ଆକ୍ରାନ୍ତଙ୍କ ନିକଟରୁ ଅଲଗା ରଖିବାକୁ ପଡିବ। ତା’ହେଲେ ଯାଇ ଏହି ଦେଶ ଲୋକମାନଙ୍କୁ ବଞ୍ଚାଇ ପାରିବ।
କେମିତି ଚୀନରେ ରୋକା ଯାଇପାରିବ କରୋନା ଭାଇରସର ଏହି ଦ୍ଵିତୀୟ ପ୍ରଭାବକୁ….
ଉକ୍ତ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏବେ ଚୀନ ଏହାର ସମସ୍ତ ପ୍ରଦେଶକୁ ଭଲ ଭାବରେ ପରୀକ୍ଷା କରିବା ଉଚିତ। ଯେଉଁଥିରେ ଜଣାପଡିବ ଯେ, ଏବେ କେତେ ଲୋକ କରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି । କେତେଲୋକ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି ଓ କେତେଜଣଙ୍କ ନିକଟରେ ଏହାର ଲକ୍ଷଣ ରହିଛି ଇତ୍ୟାଦି। ଯଦି ଏସବୁକୁ ଗମ୍ଭୀର ଭାବେ ନିଆଯାଇ ପଦକ୍ଷେପ ଗ୍ରହଣ କରାଯାଏ ତେବେ କରୋନା ଭାଇରସର ଏହି ଦ୍ଵିତୀୟ ପ୍ରଭାବକୁ ରୋକା ଯାଇପାରିବ ।
ହଂକଂ ବିଶ୍ୱବିଦ୍ୟାଳୟର ଆଉ ଜଣେ ରିସର୍ଚ୍ଚ କହିଛନ୍ତି, ଯଦି ଚୀନ ତୁରନ୍ତ ଏହାର ଲୋକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନ କରିବ ତା’ହେଲେ ଦୁଇ ସପ୍ତାହ ପରେ ଅର୍ଥାତ ଏପ୍ରିଲ ଶେଷ ସୁଦ୍ଧା କରୋନା ଭାଇରସ ଅସୁସ୍ଥ ଲୋକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ଭାବରେ ଏହାର ଦ୍ଵିତୀୟ ଲହର ଆଣିବାରେ ସକ୍ଷମ ହୋଇଯିବ।
ସୂଚନାଥାଉ କି, ଚୀନରେ 80 ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 3 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
If a second wave comes, scientists would expect to see it emerge by the end of April. https://t.co/tPqXViNaox
— Nature News & Comment (@NatureNews) March 31, 2020