ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ମୁମ୍ବାଇର ଧାରାଭି ଅଞ୍ଚଳରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫୬ ବର୍ଷୀୟ ଏହି ସଫେଇ କର୍ମଚାରୀଙ୍କ ନମୁନା ପରୀକ୍ଷଣରୁ କରୋନା ପଜିଟିଭ୍ ରିପୋର୍ଟ ଆସିଛି।

ତିନି ଦିନ ପୂର୍ବେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ବାବ ଟେଷ୍ଟ ପାଇଁ ପଠା ଯାଇଥିଲା। ରିପୋର୍ଟରେ କରୋନା ପଜିଟିଭ୍ ଆସିଥିଲା।

ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଘରେ ରହୁଥିବା ୭ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ବସ୍ତିରେ ପ୍ରାୟ ଗୋଟିଏ ମିଲିୟନରୁ ଅଧିକ ଲୋକ ବସବାସ କରନ୍ତି। ତେଣୁ କରୋନା ବସ୍ତିରେ ପ୍ରବେଶ କରିଥିବାରୁ ଏହା ସଂକ୍ରମିତ ହେବାର ଆଶଙ୍କା ବଢ଼ି ଯାଇଛି। ଏହି ବ୍ୟକ୍ତି ଜଣଙ୍କ ବିଦେଶ ଯାଇ ନ ଥିଲେ। ତଥାପି କାହାର ସଂସ୍ପର୍ଶରେ ଆସି କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି। ପ୍ରଶାସନ ପକ୍ଷରୁ ବ୍ୟକ୍ତି ଜଣଙ୍କ ରହୁଥିବା ଘରକୁ ସିଲ କରି ଦିଆଯାଇଛି।

ଏହା ପୂର୍ବରୁ ଧାରାଭି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସରେ ମୃତ୍ଯୁ ଘଟିଥିଲା।

ଅନ୍ୟପକ୍ଷରେ ବୁଧବାର ଦିନ ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ୱର୍ଲି କୋଲିୱାଡ ଅଞ୍ଚଳର ପ୍ରାୟ ୮୬ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଥିଲା। ଏହି ଅଞ୍ଚଳରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା।

ଏସିଆର ଦ୍ୱିତୀୟ ବୃହତ୍ତମ ବସ୍ତି ହେଉଛି ମୁମ୍ବାଇର ଧାରାଭି ଅଞ୍ଚଳ। ବିଶ୍ୱର ବଡ଼ବଡ଼ ବସ୍ତି ମଧ୍ୟରୁ ଏହା ହେଉଛି ଅନ୍ୟତମ। ମାତ୍ର ୨.୧ ବର୍ଗ କିଲୋମିଟରର ଏହି ଅଞ୍ଚଳରେ ରହନ୍ତି ପ୍ରାୟ ୭ ଲକ୍ଷ ଲୋକ। ଅର୍ଥାତ୍ ଏଠାରେ ମାତ୍ର ୧ ବର୍ଗ କିଲୋମିଟରରେ ରହନ୍ତି ଅଢ଼େଇ ଲକ୍ଷରୁ ଅଧିକ ଲୋକ।

୧୮୮୪ ମସିହାରେ ବ୍ରିଟିଶ ଶାସନ ଅମଳରେ ଗଢ଼ି ଉଠିଥିବା ଧାରାଭି ବସ୍ତି ଅଞ୍ଚଳରେ ଶ୍ରମିକ ଓ ଦିନ ମଜୁରିଆ ଶ୍ରେଣୀର ଲୋକ ବସବାସ କରିଥାନ୍ତି। ତେବେ ଏଠାରେ ଜନସଂଖ୍ୟା ଘନତ୍ୱ ଏତେ ଅଧିକ ହୋଇଥିବାରୁ ଏଠାରେ କରୋନା ଭଳି ରୋଗ ସଂକ୍ରମଣ ବ୍ୟାପିଲେ ତାହାକୁ ରୋକିବା ଖୁବ୍ କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ରହିଛି।

ପୂର୍ବରୁ ୧୮୯୬ ମସିହାରେ ଏଠାରେ ପ୍ଲାଗ ଏବଂ ୧୯୮୬ରେ ହଇଜା ବ୍ୟାପିଥିଲା। ଏଥିରେ ବହୁ ଲୋକ ତଥା ଶିଶୁଙ୍କ ଜୀବନ ନେଇଥିଲା।

You might also like