୨୦୨୦-୨୧ ଶିକ୍ଷା ବର୍ଷ ପାଇଁ କୋହଳ ହେବ ସ୍କୁଲ୍‌ ଫି’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍କୁଲ୍‌ ଫି’ କୋହଳ କରିବାକୁ ଘରୋଇ ସ୍କୁଲ୍‌ ଗୁଡ଼ିକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଘରୋଇ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କର ଫି’ କୋହଳ କରିବା ଲାଗି ସରକାର କହିଛନ୍ତି। ଏନେଇ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି।

ରିପୋର୍ଟ ଅନୁସାରେ ୭ଟି ସ୍ଲାବ୍‌ରେ ଫି ଛାଡ୍‌ ଲାଗି କୁହାଯାଇଛି। ଏହାସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଛା ଆଦାୟ ନ କରିବାକୁ ସ୍କୁଲ୍‌ ଗୁଡ଼ିକୁ ସରକାର କହିଛନ୍ତି।

୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ। ସେହିପରି ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ୍‌ କରିବାକୁ କୁହାଯାଇଛି। ସ୍କୁଲ୍‌ ନ ଖୋଲିବା ଯାଏ ଆକ୍ଟିଭିଟି ଫି’, ଲଣ୍ଡ୍ରି ଫି’, ଏକ୍ସଟର୍ଣ୍ଣାଲ ଏକଜାମ୍ ଫି’, ୟୁନିଫର୍ମ ଫି’, କନଭେୟାନ୍ସ ଫି, ରି ଆଡମିସନ ଫି’, ଡେଭେଲପମେଣ୍ଟ ଫି’, ଆନୁଆଲ୍ ଫି’ ଆଦାୟ ନ କରିବାକୁ ସରକାର କହିଛନ୍ତି।

ଫି’ ବୃଦ୍ଧି ନେଇ ଅଭିଭାବକ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟ ଆସିବା ପରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ନିଷ୍ପତ୍ତି ଅନୁସାରେ, ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ୍‌ ଫି’ ନେଉଥିବା ସ୍କୁଲର କୌଣସି ଫି’ ଛାଡ୍‌‌ କରାଯିବନି। ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫି’ରେ ୭.୫ ପ୍ରତିଶତ, ୧୨ରୁ ୨୪ ହଜାର ଯାଏ ୧୨ ପ୍ରତିଶତ, ୨୪ରୁ ୪୮ ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ ହଜାର ଯାଏ ଫି’ରେ ୨୦ ପ୍ରତିଶତ କୋହଳ କରାଯିବ।

ସେହିପରି ୭୨ରୁ ୧ ଲକ୍ଷ ଟଙ୍କା ଫି’ରେ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି’ ପାଇଁ ୨୬ ପ୍ରତିଶତ କୋହଳ କରିବାକୁ କୁହାଯାଇଛି। ରେସିଡେନ୍ସିଆଲ ସ୍କୁଲ ଗୁଡିକର ଫି’ ୩୦% ହ୍ରାସ ପାଇଁ କମିଟି ସୁପାରିଶ କରିଥିଲା।

ମହାମାରୀ କରୋନା ସମୟରେ ଅଧିକ ଫି’ ଆଦାୟ କରିବା ଘରୋଇ ସ୍କୁଲ୍‌ ଗୁଡ଼ିକର ଦୌରାତ୍ମ ବୋଲି କୁହାଯାଉଛି। ତେଣୁ ଘରୋଇ ସ୍କୁଲ୍‌ ଗୁଡ଼ିକର ଦୌରାତ୍ମକୁ ରୋକ୍‌ ଲଗାଇବା ଲାଗି ଅଭିଭାବକ ସଂଘ ପକ୍ଷରୁ ହାଇକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା। ହାଇକୋର୍ଟ ଏହାର ବିଚାର କରି ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

You might also like