ରିୟାଙ୍କୁ ମିଳିବନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାସହ ଏହି ଘଟଣାର ତଦନ୍ତ ବିହାର ପୋଲିସ୍ ନିକଟରୁ ସ୍ଥାନାନ୍ତରିତ କରି ମୁମ୍ବାଇ ପୋଲିସ୍କୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋଟ ଶୁଣାଣି କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ରିୟାଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ନାମଞ୍ଜୁର କରିଛନ୍ତି। ଜଷ୍ଟିସ୍ ହୃଷିକେଶ ରୟଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟଙ୍କ ଜଣିକିଆ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା।
ସୁଶାନ୍ତଙ୍କ ମୃତ୍ୟୁର ପ୍ରମାଣକୁ ମୁମ୍ବାଇ ପୋଲିସ୍ ନଷ୍ଟ କରୁଥିବା ନେଇ ସୁଶାନ୍ତ ପରିବାର ଲୋକ ଆଣିଥିବା ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ ବୋଲି ମଧ୍ୟ ସୁପ୍ରମିକୋର୍ଟ କହିଛନ୍ତି। ଆସନ୍ତା ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ତଦନ୍ତ ପାଇଁ ମୁମ୍ବାଇ ଆସିଥିବା ପାଟନା ଆଇପିଏସ୍ ଅଫିସରଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ମୁମ୍ବାଇ ପ୍ରଶସନକୁ ଭର୍ତ୍ସନା କରିଛନ୍ତି। ଏହି ମାମଲାରେ ସମସ୍ତଙ୍କ ଦୃଷ୍ଟି ଥିବାବେଳେ ଏଭଳି ସ୍ଥିତିରେ ଏପରି ଏକ ଘଟଣା ଏକ ଭଲ ବାର୍ତ୍ତା ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଜୁନ୍ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।