ଆସିଲା ସାତକୋଶିଆ ମହିଳାଙ୍କ ମୃତ୍ୟୁର ଶବ ବ୍ୟବଚ୍ଛେଦ ରିପୋର୍ଟ

ମହିଳାଙ୍କୁ ସୁନ୍ଦରୀ ମାରିଛି ନା ନାହିଁ ଏବେବି ଅସ୍ପଷ୍ଟ

ଅନୁଗୁଳ: ସାତକୋଶିଆ ହାତୀବାରି ଅଞ୍ଚଳରେ ମୃତ୍ୟୁ ହୋଇଥିବା ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଜଙ୍ଗଲୀ ଯନ୍ତୁଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। କିନ୍ତୁ, ସେହି ଜଙ୍ଗଲୀ ଜନ୍ତୁ ବାଘୁଣୀ ସୁନ୍ଦରୀ କି ନାହିଁ ସେ ନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇ ନାହିଁ। ତେବେ ଘଟଣାରେ ତଦନ୍ତ ଜାରି ରହିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ମହିଳାଙ୍କ ମୃତ୍ୟୁ ଘଟଣା ପରଠାରୁ ସାତକୋଶିଆର ଜଙ୍ଗଲରେ, ବନବିଭାଗ ଓ ଡବ୍ଲୁଆଇଆଇ ଟିମ୍ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନିରନ୍ତର ନଜର ରଖିଛନ୍ତି। ତଥାପି ସ୍ଥାନୀୟ ଲୋକେ ବାଘୁଣୀ ସ୍ଥାନାନ୍ତର ପାଇଁ ଅଡ଼ି ବସିଛନ୍ତି।

ମଧ୍ୟପ୍ରଦେଶରୁ ସାତକୋଶିଆକୁ ବାଘ ଅଣାଯିବା ସମଗ୍ର ବିଶ୍ୱରେ ପ୍ରଥମ ଆନ୍ତଃରାଜ୍ୟ ସ୍ଥାନାନ୍ତରଣ। ତେଣୁ ଏହା ଉପରେ ବନବିଭାଗ ଏକ୍ସପେରିମେଣ୍ଟ କରୁଛି। ଏହି ଗୋଟିଏ ଘଟଣା ପାଇଁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ବୋଲି ଡବ୍ଲୁଆଇଆଇର ବିଶେଷଜ୍ଞ ସୂଚନା ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ଆକ୍ରୋଶକୁ ଦୂରେଇ ଦେବାକୁ ଏହି ପ୍ରକଳ୍ପରେ ସେମାନଙ୍କୁ ଲୋକଙ୍କୁ ସାମିଲ କରାଯିବ। ସେମାନେ ଯେଭଳି ଏହି ପ୍ରକଳ୍ପରୁ ଆର୍ଥିକ ସହାୟତା ପାଇବେ, ସେଥିନେଇ ମଧ୍ୟ ବନ୍ଦୋବସ୍ତ କରାଯିବ ବୋଲି ଯୋଜନା ହୋଇଛି।

ଖାଲି ସେତିକି ନୁହେଁ, ମଧ୍ୟପ୍ରଦେଶ କାହ୍ନା ହେଉ କିମ୍ବା ବାନ୍ଧବଗଡ଼ ଓ ପାନ୍ନା ଯେଉଁଠି ବାଘ ଓ ମଣିଷ ନିର୍ଦ୍ୱନ୍ଦରେ ବିଚରଣ କରୁଛନ୍ତି, ସେହି ଅଞ୍ଚଳକୁ ସାତକୋଶିଆବାସୀଙ୍କୁ ବୁଲାଇବାକୁ ନିଆଯିବାର ଯୋଜନା ରହିଛି। ଏଥିସହିତ ଖୁବ୍ ଶୀଘ୍ର ଜିଲାପାଳ, ଏସ୍‌ପି, ଡିଏଫ୍ଓଙ୍କ ସହ ସ୍ଥାନୀୟ ଗୋଷ୍ଠୀଙ୍କର ଏକ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ମଧ୍ୟ ରହିଛି।

You might also like