‘ଅଭିଯୁକ୍ତ ଦୋଷ ମାନିଛି; ଆମ ପାଖରେ ଅଡିଓ, ଭିଡିଓ ରେକର୍ଡିଂ ଅଛି’

ନୟାଗଡ ନାବାଳିକା ହତ୍ୟା ମାମଲାର ଗୁମର ଖୋଲିଲେ‌ SIT ମୁଖ୍ୟ ଅରୁଣ ବୋଥ୍ରା।

ବଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାର ଗୁମର ଆଜି ଖୋଲିଛନ୍ତି ତଦନ୍ତକାରୀ ଟିମ୍‌ SITର ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକା  ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛନ୍ତି। ସରୋଜ ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା। ପଛପଟ ଘରକୁ ନେଇ  ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକା ବିରୋଧ କରିବାରୁ ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା। ଏକଥା ଅଭିଯୁକ୍ତ ସରୋଜ ସ୍ୱୀକାର କରିଛି ବୋଲି କହିଛନ୍ତି  SIT ମୁଖ୍ୟ ଅରୁଣ ବୋଥ୍ରା।

ପଢନ୍ତୁ: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ଘଟଣାର କଳା କାହାଣୀ ଖୋଲିଲେ SIT ମୁଖ୍ୟ ଅରୁଣ ବୋଥ୍ରା

ବୋଥ୍ରା ପ୍ରେସ୍‌ ମିଟ୍‌ରେ କହିଛନ୍ତି, ଘଟଣାର ପ୍ରତ୍ୟକ୍ଷଦର୍ଶୀ କେହି ନାହାନ୍ତି। କିଛି ସାଇଣ୍ଟିଫିକ ତଥ୍ୟକୁ ନେଇ ତଦନ୍ତ କରାଯାଇଛି। ତଦନ୍ତରୁ ସ୍ପଷ୍ଟ ହୋଇଛି ସରୋଜ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ଏକଥା ଖାଲି ପୋଲିସ ଆଗରେ ସ୍ୱୀକାର କରିନି, ବରଂ ଅନ୍ୟ ଦୁଇଜଣଙ୍କ ଆଗରେ ମଧ୍ୟ ପ୍ରକାଶ କରିଛି। ଆଉ ସବୁଠାରୁ ବଡ ସଂଯୋଗର କଥା ହେଉଛି, ସରୋଜ ଯେଉଁ ଦୁଇଜଣଙ୍କ ଆଗରେ ନିଜ ପାପକୁ ସ୍ୱୀକାର କରିଥିଲା, ସେମାନଙ୍କ ମଧ୍ୟରୁ ଜଣଙ୍କର କମ୍ପ୍ୟୁଟର ଅଡିଓ ଓ ଭିଡିଓ ଅନ୍‌ ଥିଲା। ସେଥିରେ ଏସବୁ ରେକର୍ଡ ହୋଇଛି।
ପଢନ୍ତୁ: ସରୋଜ ଉପରେ କାହିଁକି ସନ୍ଦେହ କରିଥିଲା ଏସଆଇଟି?

ଏହି ରେକର୍ଡ SIT ହାତରେ ଲାଗିଥିବା ବୋଥ୍ରା କହିଛନ୍ତି। ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ହୋଇପାରିବ। ବୋଥ୍ରା ଆହୁରି କହିଛନ୍ତି, ଆଇ ୱିଟନେସ୍ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ। ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGR ସହ କଥା ହୋଇଛୁ। ତା ଘରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ ।

ଯେଉଁ ଲେଗିନ୍ସ ସରୋଜ ପୋଖରୀରେ ପକାଇଥିଲା, ତାହାକୁ ଖୋଜିବା ପାଇଁ ଚେଷ୍ଟା ଚାଲିଛି। ଉକ୍ତ ପୋଖରୀର ଜଳକୁ ଶୁଖା ଯାଉଛି। ଏଥିରୁ ତଥ୍ୟ ମିଳିଲେ ଘଟଣାର ସତତ୍ୟାକୁ ପ୍ରମାଣିତ କରିବାରେ ସାହାଯ୍ୟ କରିବ।

ତେବେ ବୋଥ୍ରାଙ୍କ ପ୍ରେସ୍ ମିଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୃତ ନାବାଳିକାଙ୍କ ବାପା। ସରୋଜ ଏଭଳି ପିଲା ନୁହେଁ, ତାଙ୍କୁ ମୋହରା କରାଯାଉଛି ବୋଲି ସେ କହିଛନ୍ତି। ମୃତ ନାବାଳିକାଙ୍କ ବାପା ’ଆମେ ସିବିଆଇ ତଦନ୍ତ ଦାବି କରୁଥିବାରୁ ଏଭଳି ନାଟକ କରୁଛନ୍ତି’ ବୋଲି କ୍ଷୋଭର ସହ କହିଛନ୍ତି।

ସୂଚନାଥାଉ କି, ନାବାଳିକା ହତ୍ୟା ଘଟଣାର ପୁରା ବିବରଣୀ ଦେଇ  ତାଙ୍କ ୨୨ ବର୍ଷ ଚାକିରୀରେ ଏହା ବିଭତ୍ସ ଘଟଣା ବୋଲି ବୋଥ୍ରା କହିଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମିଳିନାହାନ୍ତି। ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ରହିଛି। ତଦନ୍ତରେ ସରୋଜର ଭୂମିକା ଥିବା ସ୍ପଷ୍ଟ ହୋଇଛି। ସରୋଜ ନିଜ ଭୁଲ ପୋଲିସରେ ସ୍ୱୀକାର କରି କହିଛି।

 

You might also like