ଭୁବନେଶ୍ୱର: ଲାଲ ଟହ ଟହ କଙ୍କଡ଼ା ଝୋଳ...  ବାମ୍ବୋ ଚିକେନ୍ .. ନାରିୟଲ ଚିକେନ୍। ଆଃ ! ଦେଖୁ ଦେଖୁ ଜିଭ ବୁଲିଲାଣି

ଯିଏ ଖାଇଛି ସେ ପାଇଛି ଏହାର ମଜା। ଓଡ଼ିଆ ଷ୍ଟାଇଲର ସେଇ ପାଟି ସୁଆଦିଆ ଡିସ୍‌କୁ ଏବେ ଅର୍ଡର କରିଛନ୍ତି ଖୋଦ୍ ବଲିଉଡ୍ ଷ୍ଟାର ଅଜୟ ଦେବଗନ୍ ।

ରାଜଧାନୀର ରୋଜିସ୍ କିଚେନ୍‌ରେ  ଏସବୁ ଭଳିକି ଭଳି ତରକାରୀର ରୋଷେଇ ସରିଛି । ପ୍ୟାକିଙ୍ଗ୍ ହୋଇ ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରୁ ମୁମ୍ବାଇ ଯାଇଛି । ରାତିରେ ଅଜୟ ଦେବଗନ ଓ କାଜଲଙ୍କ ଡାଇନିଂ ଟେବୁଲରେ ପରଷା ଯିବ। ଜଣାଶୁଣା ସି ଫୁଡ୍ ବ୍ୟବସାୟୀ ଡ. ଭିନିଥଙ୍କ ଜରିଆରେ ରୋଜିସ୍ କିଚେନକୁ ମିଳିଛି ଏ ଅର୍ଡର।

ରୋଜିସ୍ କିଚେନ୍ ସ୍ୱତ୍ୱାଧିକାରୀ ସରୋଜା ଚୌଧୁରୀଙ୍କ କହିବା କଥା, ବଲିଉଡ୍ ସେଲିବ୍ରିଟିଙ୍କୁ କଙ୍କଡ଼ା ଓ ଚିଙ୍ଗୁଡ଼ି ଯୋଗାଉଥିବା ଡ. ଭିନିଥ୍‌ଙ୍କ ଜରିଆରେ ତାଙ୍କର ସ୍ୱତନ୍ତ୍ର କ୍ଷୀରପୋଡ଼ ପିଠା ଥରେ ଚାଖିଥିଲେ ଅଜୟ ଓ କାଜଲ । ଭଲ ଲାଗିବା ପରେ ତାଙ୍କ ରୋଷେଇ କଥା ଶୁଣି ପରେ କଙ୍କଡ଼ା ଓ ଚିଙ୍ଗୁଡ଼ିକୁ ଓଡ଼ିଆ ଷ୍ଟାଇଲରେ ରୋଷେଇ କରି ପଠାଇବାକୁ ଅର୍ଡର ଦେଇଥିଲେ । ଖାଲି ନନଭେଜ୍ ଡିସ୍ ନୁହେଁ, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଶାର ପାରମ୍ପରିକ ମିଠା ବି ପଠାଯାଇଛି।

ଯାହା ବି ହେଉ,  ଅଜୟ-କାଜଲଙ୍କୁ ଖାଲି ସୁଆଦିଆ ମେନ୍ୟୁ ପଠାଇ ସରୋଜା ଚର୍ଚ୍ଚାକୁ ଆସିଛନ୍ତି, ତାହା ନୁହେଁ, ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଟୁଇଷ୍ଟ କରି ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ କରାଇବାରେ ବି ବେଶ୍ ନାଁ କମାଇଛନ୍ତି । ଏମିତିକି ତାଙ୍କ ହାତ ତିଆରି ଖାଦ୍ୟ ପାଇଁ ଅନେକ ଥର ଅର୍ଡର ଦେଇଛନ୍ତି ଗଜପତି ମହାରାଜା ଓ ରାଜ୍ୟପାଳ । ସରୋଜା କହିଛନ୍ତି, ବଲିଉଡ୍ ଷ୍ଟାରଙ୍କୁ ଓଡ଼ିଆ ଖାଦ୍ୟ ଖୁଆଇବା ପାଇଁ ଆସନ୍ତା ମାସରେ ତାଙ୍କ ଟିମ୍ ବମ୍ବେ ଯିବ । ଏଥିପାଇଁ ଜୁହୁ ବିଚ୍ ନିକଟରେ ବ୍ୟବସ୍ଥା କରାଯାଇଛି।
ଯେଉଁଥିରେ ଅମିତାଭଙ୍କଠୁ ସଲମାନ, ଶାହରୁଖଙ୍କୁ ସେ ଓଡ଼ିଆଙ୍କ ପ୍ରିୟ ପଖାଳ ଭାତ, ପଣସ ତରକାରୀ, କଖାରୁ ଫୁଲ ଭଜା ସମେତ ଘୋରା ମଣ୍ଡା ଓ ସରସତିଆ ପିଠାର ବି ସ୍ୱାଦ ଚଖାଇବେ।

https://youtu.be/qoaSr2GCv5E

Other Stories