କରୋନା ପ୍ରଭାବିତ ରାଜ୍ୟଙ୍କୁ ମାଗଣାରେ ଅକ୍ସିଜେନ୍‌ ଯୋଗାଇବେ ମୁକେଶ ଅମ୍ବାନୀ

ସାହାଯ୍ୟ ପାଇଁ ଆଗେଇ ଆସିଲେ ମୁକେଶ

ନୂଆଦିଲ୍ଲୀ: ସାହାଯ୍ୟ ପାଇଁ ଆଗେଇ ଆସିଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ କମ୍ପାନୀ ନିଜର ଗୁଜରାଟର ଜାମନଗର୍‌ରେ ଥିବା‌ ରିଫାଇନାରୀରେ ପ୍ରତିଦିନ ପାଖାପାଖି ୭୦୦ ଟନରୁ ଅଧିକ ଅକ୍ସିଜେନ୍‌ ତିଆରି କରୁଛି। ଆଉ ସବୁଠାରୁ ବଡ଼ କଥା ହେଲା ଏହି ଅକ୍ସିଜେନ୍‌ ଗୁଡ଼ିକୁ କରୋନାରେ ଗଭୀର ଭାବରେ ପୀଡ଼ିତ ଥିବା ରାଜ୍ୟମାନଙ୍କ ମାଗଣାରେ ଦିଆଯାଉଛି। ପୂର୍ବରୁ କମ୍ପାନୀ ପକ୍ଷରୁ ଏହି କାରଖାନାରେ ଦୈନିକ ୧୦୦ ଟନ୍‌ ଅକ୍ସିଜେନ୍‌ ଉତ୍ପାଦନ କରୁଥିଲା। କିନ୍ତୁ କରୋନା ନିଜର ଭୟଙ୍କର ରୂପ ଦେଖାଇବା ପରଠାରୁ ସାରା ଦେଶରେ ସ୍ଥିତି ସଙ୍ଗୀନ ହେଲାଣି। ତେଣୁ ଏହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଅନୁରୋଧ କରିଥିଲେ କି ଯେଉଁ କମ୍ପାନୀ ମାନେ ଅକ୍ସିଜେନ୍‌ ତିଆରି କରୁଛନ୍ତି ସେମାନେ ଯଥାସମ୍ଭବ ଅଧିକ ଅକ୍ସିଜେନ୍‌ ଉତ୍ପାଦନ କରନ୍ତୁ। ତେଣୁ ଏହାକୁ ଦୃଷ୍ଟିରେ ରଖି, ରିଲାଏନ୍ସ କମ୍ପାନୀ ମଧ୍ୟ ନିଜର ଉତ୍ପାଦନର କ୍ଷମତା ବଢାଇ ଦେଇଛି।

ସୂଚନାନୁସାରେ, କରୋନା ସଂକ୍ରମଣରେ ସବୁଠାରୁ ଅଧିକ ପୀଡ଼ିତ ହୋଇଛନ୍ତି ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ସହ ଛତିଶଗଡ଼। ତେବେ ଏହି ଅମ୍ଳଜାନ ସିଧାସଳଖ ମେଡିକାଲରେ ପହଞ୍ଚାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିବା ସହ ଆଗାମୀ ଦିନରେ ପ୍ଲାଣ୍ଟରେ ଦୈନିକ ୧ ହଜାର ଟନ୍‌ ଅକ୍ସିଜେନ୍‌ ତିଆରି କରାଯିବ ବୋଲି ସୂଚନା ଦିଆଯାଇଛି। ଆଉ ଏହି ଅକ୍ସିଜେନ୍‌ ପାଖାପାଖି ୭୦ ହଜାର ଗୁରୁତର ରୋଗୀଙ୍କ ବଂଚାଇବାରେ ସାହାଯ୍ୟ ମଧ୍ୟ କରିବ ବୋଲି ଜଣାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜାମନଗର ରିଫାଇନାରୀ ପ୍ଲାଣ୍ଟ୍‌ ମେଡିକାଲ୍ ଗ୍ରେଡର ଅକ୍ସିଜେନ୍‌ ଉତ୍ପାଦନ କରେ ନାହିଁ ବରଂ ଏହି ରିଫାଇନାରୀରେ ଅଶୋଧିତ ତେଲକୁ ଡିଜେଲ, ପେଟ୍ରୋଲ ଏବଂ ବିମାନ ଇନ୍ଧନରେ ପରିଣତ କରାଯାଏ।

କିନ୍ତୁ କରୋନୋ ଭାଇରସ୍ କ୍ଷେତ୍ରରେ ଦ୍ରୁତ ବୃଦ୍ଧି ଏବଂ ଅମ୍ଳଜାନର ଚାହିଦାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଏଭଳି ଯନ୍ତ୍ରପାତି ସ୍ଥାପନ କରିଛି ଯାହା ମେଡିକାଲ୍ ସ୍ତରର ଅମ୍ଳଜାନ ଉତ୍ପାଦନ କରିବା ସମ୍ଭବ କରିଛି। ଏହି ଅକ୍ସିଜେନ୍‌ର ପରିବହନ ସ୍ୱତନ୍ତ୍ର ଟ୍ୟାଙ୍କରରେ ଶୂନରୁ -୧୮୩ ଡିଗ୍ରୀ (ମାଇନସ୍‌ ୧୮୩ ଡିଗ୍ରୀ) ସେଲସିୟସ୍‌ ତାପମାତ୍ରାରେ କରାଯାଉଛି । ପରିବହନ ଖର୍ଚ୍ଚ ସମେତ ରାଜ୍ୟ ସରକାରଙ୍କୁ ବିନା ମୂଲ୍ୟରେ ଏହି ଅକ୍ସିଜେନ୍‌ ଯୋଗାଇ ଦିଆଯାଉଛି। ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ମାଗଣା ଅକ୍ସିଜେନ୍‌ ଯୋଗାଣ ରିଲାଏନ୍ସ କମ୍ପାନୀର ସାମାଜିକ ଦାୟିତ୍ୱବୋଧ।

ବର୍ତ୍ତମାନ ସମୟରେ ଆଇଓସି ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼୍‌ (ବିପିସିଏଲ) ଏହାର ରିଫାଇନାରୀରେ ଅକ୍ସିଜେନ୍‌ ଉତ୍ପାଦନ କରୁଛନ୍ତି ଏବଂ ଏହାକୁ ପ୍ରଭାବିତ ରାଜ୍ୟମାନଙ୍କୁ ବଣ୍ଟନ କରୁଛନ୍ତି । ଏହା ବ୍ୟତୀତ SAIL, ଟାଟା ଷ୍ଟିଲ ପରି ଇସ୍ପାତ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ପ୍ଲାଣ୍ଟରେ ମେଡିକାଲ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ ଆରମ୍ଭ କରିଛନ୍ତି ଏବଂ ଏହାକୁ ରାଜ୍ୟଗୁଡିକୁ ଯୋଗାଇବା ଆରମ୍ଭ କରିଛନ୍ତି।

 

You might also like