ସିଲ୍‌ ହେଲା ଅଭିନେତ୍ରୀ ରେଖାଙ୍କ ବଙ୍ଗଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ବାଇ ସ୍ଥିତ ବଙ୍ଗଳା ‘Sea Springs’କୁ ସିଲ୍ କରାଯାଇଛି। ରେଖାଙ୍କ ବାନ୍ଦ୍ରା ସ୍ଥିତ ଏହି ବଙ୍ଗଳାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କ କରୋନା ପଜିଟିଭ୍‌ ଆସିବା ପରେ ବଙ୍ଗଳାକୁ ସିଲ୍ କରାଯିବା ସହ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ବଙ୍ଗଳା ବାହାରେ ବିଏମ୍‌ସି ନୋଟିସ୍‌ ଲଗାଇ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି।

ସୂଚନା ଅନୁସାରେ, ରେଖାଙ୍କ ଏହି ବଙ୍ଗଳାରେ ୨ଜଣ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଯେଉଁମାନେ ରେଖାଙ୍କ ଘରକୁ ସବୁବେଳେ ଜଗିଥାନ୍ତି। ଏହି ୨ଜଣଙ୍କ ମଧ୍ୟରୁ କିଛି ଦିନ ତଳେ ଜଣଙ୍କର କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କର ଚିକିତ୍ସା ଜାରି ରହିଛି।

Brihanmumbai Municipal Corporation(BMC) ପକ୍ଷରୁ ରେଖାଙ୍କ ପୂରା ବଙ୍ଗଳାକୁ ସାନିଟାଇଜ୍ କରାଯାଇଛି। ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ରେଖା କିମ୍ବା ତାଙ୍କ ମୁଖପାତ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।