ଲକ୍‌ଡାଉନ୍: ରାଜସ୍ଥାନରେ ପହଞ୍ଚିବା ପାଇଁ ଗୁଜରାଟରୁ ଚାଲି ଚାଲି ଆସିଲେ ଶ୍ରମିକ

ଅହମଦାବାଦ: କରୋନା ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରୀରୁ ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି।      ଅନ୍ୟପକ୍ଷରେ, ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି।

କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରେଳ, ବିମାନ ଓ ବସ୍ ସେବା ବନ୍ଦ ରହିଥିବାରୁ ଗୁଜରାଟରେ କାର୍ଯ୍ୟ କରୁଥିବା ରାଜସ୍ଥାନର ଶତାଧିକ ଶ୍ରମିକ ଚାଲି ଚାଲି ସେମାନଙ୍କର ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା।

ଏହି ଶ୍ରମିକମାନେ ଚାଲି ଚାଲି ଗୁଜରାଟ-ରାଜସ୍ଥାନ ସୀମାର ସମଲାଜି ସହରରେ ପହଞ୍ଚିବା ପରେ ସେମାନଙ୍କର ଯାତାୟତ ପାଇଁ ବନ୍ଦୋବସ୍ତ କରାଯାଇଥିବା ସୂଚନା ମିଳିଛି।

ସମସ୍ତ ବ୍ୟବସାୟିକ ସଂସ୍ଥା, ହୋଟେଲ୍ ଆଦି ବନ୍ଦ ରହିଥିବାରୁ ଏହି ଶ୍ରମିକମାନେ ଭୋକିଲା ରହିଥିଲେ। ହେଲେ ପୁଲିସ ଏମାନଙ୍କୁ ସହଯୋଗର ହାତ ବଢ଼ାଇଥିଲା ଓ ସମସ୍ତଙ୍କୁ ଆହାର ଯୋଗାଇଥିଲେ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରୀରୁ ଏହି ଲକ୍‌ଡାଉନ୍ ଆରମ୍ଭ ହୋଇଛି।

You might also like