ମାନିଲେନି ଲକଡାଉନ; ବିରୋଧ କରିବାରୁ କାଟିଦେଲେ ପୁଲିସର ହାତ

ପଟିଆଲା(ପଞ୍ଜାବ): ପଞ୍ଜାବର ପଟିଆଲା ଜିଲ୍ଲାରେ ପୁଲିସ ଉପରକୁ ଆକ୍ରମଣ। ଆଜି ସକାଳେ ଏକ ପରିବା ମାର୍କେଟରେ କିଛି ଲୋକେ ପୁଲିସ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ହାତ କଟି ଯାଇଥିବାବେଳେ ଅନ୍ୟ ୨ ପୁଲିସ ଅଧିକାରୀ ଆହତ ହୋଇଛନ୍ତି।

ଲକଡାଉନ ନିୟମକୁ ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରୟାସ କରୁଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ ହୋଇଥିଲା ବୋଲି ପୁଲିସ କହିଛି।

ଯେଉଁ ଅଫିସରଙ୍କ ହାତ କଟି ଯାଇଛି ତାଙ୍କ ନାଁ ହରଜିତ ସିଂ। ସେ ଜଣେ ଏଏସଆଇ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଏକ ଗାଡି ପରିବା ମାର୍କେଟରେ ଥିବା ବ୍ୟାରିକେଡ଼  ଭାଙ୍ଗି ଧସେଇ ହୋଇ ପଶିଥିଲା। ଏହି ଗାଡ଼ିରେ ନିହାଙ୍ଗମାନେ(ଏକ ଧାର୍ମିକ ସଂଗଠନର ସଦସ୍ୟ) ଥିଲେ। ଯେତେବେଳେ ପୁଲିସ ସେମାନଙ୍କୁ ଅଟକାଇ ପାସ ମାଗିଥିଲା, ଏହି ସମୟରେ ନିୟମ ଉଲ୍ଲଂଘନକାରୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୩ଜଣଙ୍କୁ ଗିରଫ କରିଥିବାବେଳେ ଆଉ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

You might also like