ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦଙ୍କର ଦରମାରୁ କଟିବ ୩୦%

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସବୁ ରାଜ୍ୟର ରାଜ୍ୟପାଳ ଏବଂ ସାଂସଦମାଙ୍କର ଦରମାରୁ କଟିବ ୩୦%।

କରୋନା ମୁକାବିଲା ଓ ଏହି ଲଢ଼େଇରେ ପ୍ରଭାବିତ ହେବାକୁ ଥିବା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପ୍ରମୁଖ ବ୍ୟକ୍ତିମାନେ ନିଜଆଡ଼ୁ ଏପରି ପ୍ରସ୍ତାବ ଦେଇଥିଲେ। ସାମାଜିକ ଦାୟିତ୍ୱବୋଧ ଦୃଷ୍ଟିରୁ ଏହି ପ୍ରମୁଖ ବ୍ୟକ୍ତିମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍‌ ‘ସାଲାରି, ଆଲଉନ୍ସେସ୍‌ ଆଣ୍ଡ ପେନସନ୍‌ ଅଫ୍‌ ମେମ୍ବରସ୍‌ ଅଫ୍‌ ପାର୍ଲିଆମେଣ୍ଟ ଆକ୍ଟ ୧୯୫୪’ରେ ପରିବର୍ତ୍ତନ ଆଣି ଏକ ବିଧେୟକ ପାରିତ କରିଛି। ଏହାଫଳରେ ଦରମା ଏବଂ ଭତ୍ତା ୩୦% କଟିବା ସହ ଚଳିତ ଏପ୍ରିଲ ୧ ତାରିଖରୁ ୧ ବର୍ଷ ପାଇଁ ଲାଗୁ ହେବ।

ଏହି ସମସ୍ତ ଟଙ୍କା ଦେଶର କନ୍‌ସୋଲିଡେଟେଡ୍‌ ଫଣ୍ଡକୁ ଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି।

ଏତଦ୍‌ବ୍ୟତୀତ ସମସ୍ତ ସାଂସଦଙ୍କ ପାଣ୍ଠି ମଧ୍ୟ ଆସନ୍ତା ୨ ବର୍ଷ ଯାଏ ସ୍ଥଗିତ ରହିବ। ଏ ବାବଦକୁ ୭୯୦୦ କୋଟି ମିଳିବ।

You might also like