ଟିକାନାହିଁ, ଟିକାକରଣ ହେବ କ’ଣ!

ରାଜ୍ୟରେ ତେଜିବାରେ ଲାଗିଛି ଟିକା ରାଜନୀତି

  • ତେଜିଲା ଟିକା ରାଜନୀତି
  • ଟିକା ଅଭାବ ଅଭିଯୋଗ ଉପରେ ଧର୍ମେନ୍ଦ୍ରଙ୍କ କଡ଼ା ପ୍ରତିକ୍ରିୟା
  • ବାହାପିଆପଣ ଦେଖାଇବାକୁ ବିବାଦ ଆରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ସଚିବ
  • କେନ୍ଦ୍ରମନ୍ତ୍ରୀ ତଥ୍ୟ ଓ ସତ୍ୟ ଉପରେ ମତ ରଖନ୍ତୁ କହିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଊର୍ଦ୍ଧ୍ୱମୁଖୀ କୋଭିଡ୍ ସଂକ୍ରମଣବେଳେ ଟିକାକୁ ନେଇ ବି ଉପରମୁହାଁ ରାଜନୀତିର ପାରା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଟିକା ଅଭାବ ନେଇ ହେଉଥିବା ଅଭିଯୋଗ ଉପରେ ଆଜି କଡ଼ା ପ୍ରତିକ୍ରିୟା ରଖି ସିଧା ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି। କହିଛନ୍ତି ଦେଶରେ ୧୧-୧୨ କୋଟି ଟିକା ଭିତରୁ ଓଡ଼ିଶାକୁ ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଟିକା ଆସିସାରିଛି। ନିଜ ବାହାପିଆପଣ ଦେଖାଇବାକୁ ସ୍ୱାସ୍ଥ୍ୟ ସଚିବ ଅଯଥା ଟିକା ଅଭାବ ବିବାଦ ଆରମ୍ଭ କରିଛନ୍ତି କହି ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର। ତେବେ ଏହାର ଜବାବ୍ ରଖିଛି ବିଜେଡ଼ି।

ରାଜ୍ୟରେ ଟିକାର ଅଭାବକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଗତକାଲି ଟିକାର ଅଭାବ ସମ୍ପର୍କରେ କହିଥିଲେ।  କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ନୁହଁନ୍ତି, ଟିକା ଅଭାବର ଅଭିଯୋଗ ଆଣି କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଛନ୍ତି। ଏପରିକି ଗତ ୨୬ ତାରିଖରେ ଏନେଇ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କ ଚିଠିରେ କେନ୍ଦ୍ର ବିରୋଧରେ ପାତରଅନ୍ତର କଥା ବି ଉଠିଛି। ତେବେ ରାଜ୍ୟର ବାରମ୍ବାର ଏଭଳି ଅଭିଯୋଗ ଓ ଦାବି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି, ରାଜ୍ୟକୁ ଏପର୍ଯ୍ୟନ୍ତ ୪୫ ଲକ୍ଷ ଟିକା ଆସିସାରିଛି। ତେବେ ଟିକାର ଅଭାବ ବିବାଦ ଏଠିକାର ସ୍ୱାସ୍ଥ୍ୟ ସଚିବ ଆରମ୍ଭ କରିଥିବା କହି ସେ ରାହୁଲ ଗାନ୍ଧିଙ୍କ ଭାଷା କହୁଥିବା କହି କଟାକ୍ଷ କରିଛନ୍ତି।

ତେବେ ଧର୍ମେନ୍ଦ୍ରଙ୍କ ଏଇ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ତଥ୍ୟ ଓ ସତ୍ୟ ଉପରେ ମତ ରଖନ୍ତୁ, ଟିକାକୁ ନେଇ ରାଜନୀତି ନକରନ୍ତୁ। ଆଗରୁ ରାଜ୍ୟରେ ଦିନକୁ ୨ ଲକ୍ଷ ଡୋଜ୍ ଟିକା ଦିଆଯାଉଥିଲା ବେଳେ ଏବେ ତାହା ୧ ଲକ୍ଷକୁ ଖସି ଆସିଛି। ଟିକା ଅଭାବ ନେଇ ସ୍ୱାସ୍ଥ୍ୟସଚିବ ଚିଠି ଲେଖିବା କଣ ଭୁଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ। ସେପଟେ, କଂଗ୍ରେସ ମଧ୍ୟ ବିଜେଡି ସହ ସ୍ୱର ମିଶାଇ ଟିକା ଅଭାବ ନେଇ କଡ଼ା ପ୍ରତିକ୍ରିୟା ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟକୁ ଏବେ ସୁଦ୍ଧା ଉଭୟ କୋଭିସିଲ୍ଡ ଓ କୋଭାକ୍ସିନର ୪୮ ଲକ୍ଷ ୬୫ ହଜାର ୧୪୦ ଡୋଜ୍ ଆସିସାରିଛି। ସେ ଭିତରୁ ନଷ୍ଟ ଟିକା ସଂଖ୍ୟାକୁ ମିଶାଇ ସରିଛି ୪୫ ଲକ୍ଷ ୧୨ ହଜାର ୨୧୮ ଡୋଜ୍। ଅର୍ଥାତ୍ ଏବେ ରାଜ୍ୟରେ ୩ ଲକ୍ଷ ୫୨ ହଜାର ୯୨୨ ଡୋଜ୍ ଟୀକା ବଳକା ରହିଛି, ପୁଣି ୨ ଲକ୍ଷ ଟୀକା ରାଜ୍ୟକୁ ଆସିବା ପ୍ରକ୍ରିୟାରେ ଅଛି। ଓଡ଼ିଶାର ପ୍ରାୟ ୪୩ ଲକ୍ଷ ଲୋକ ଟୀକା ନେଇ ସାରିଲେଣି। ସେପଟେ କିନ୍ତୁ ଟିକାର ଅଭାବ ଦର୍ଶାଇ ଗତକାଲି ରାଜ୍ୟର ୧୪୭୬ କେନ୍ଦ୍ରରୁ ମାତ୍ର ୪୯୫ଟି କେନ୍ଦ୍ରରେ ଟିକାକରଣ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛିି।

ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ଜଗଦୀଶ ଦାସଙ୍କ ରିପୋର୍ଟ

You might also like