ବେକାବୁ ହେଲାଣି ତୈଳ ଦର। କେଉଁଠି ୧୦୦ ତ ଆଉ କେଉଁଠି ୯୮ ଛୁଇଁଲାଣି ଦର

ହୁ ହୁ ହୋଇ ବଢ଼ୁଛି ତେଲ ଦର

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବରେ ତୈଳଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। କହିବାକୁ ଗଲେ ନିତିଦିନ ହିଁ ତୈଳ ବୃଦ୍ଧି କରୁଛନ୍ତି ସରକାର।  ବିଶେଷକରି ପେଟ୍ରୋଲ୍ ଦର ଏବେ ରେକର୍ଡ ଛୁଇଁଛି। ଏଭଳି ସ୍ଥିତିରେ ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ମିଳିଥିବା ସୂଚନା ଅନୁସାରେ, ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କାରେ ପହଂଚିଲାଣି। ସେହିପରି ଏଠାରେ ବର୍ତ୍ତମାନ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି।

କେବଳ ରାଜସ୍ଥାନରେ ନୁହେଁ ବରଂ ରାଜଧାନୀ ଦିଲ୍ଲୀରେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ହେବାରେ ଲାଗିଛି। କହିବାକୁ ଗଲେ ଦର ବୃଦ୍ଧିରେ ଲାଗୁନାହିଁ ବ୍ରେକ୍। ତୈଳ ମାର୍କେଟିଂ କମ୍ପାନୀ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ ଲଗାତର ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ପିଛା ୫୦ ପଇସା ବୃଦ୍ଧି ହୋଇଥିଲା। ଦେଶର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପେଟ୍ରୋଲ ଦର ଆକାଶଛୁଆଁ ରହିଛି।

ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।

କେବଳ ଦେଶରେ ନୁହେଁ ବରଂ ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ଭାବେ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର ଲିଟର ପ୍ରତି ୯୧ ଟଙ୍କା ଟପିଛି। ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୧ ଟଙ୍କା ୪୨ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୮୭ ଟଙ୍କା ୫୬ ପଇସାରେ ପହଞ୍ଚିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୮୬ ଟଙ୍କା ୩୬ ଓ ଡିଜେଲ୍ ୮୨ ଟଙ୍କା ୬୬ ପଇସା ହୋଇଛି। ସେହିପରି ରାଉରକେଲାରେ ପେଟ୍ରୋଲ ଲିଟର ପ୍ରତି ୮୭ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ପହଞ୍ଚିଛି ୮୩ ଟଙ୍କା ୬୫ ପଇସା।

ତେବେ ବାରମ୍ବାର ତୈଳ ବୃଦ୍ଧି ହେଉଥିବା କାରଣରୁ ତାହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ହିଁ ପଡ଼ୁଛି। ପ୍ରତ୍ୟେକ ସାମଗ୍ରୀର ଦରଦାମ ମଧ୍ୟ ବଢିବାରେ ଲାଗିଛି। ଯାହାକୁ ନେଇ ଏବେ ଚିନ୍ତାରେ ଖାଉଛି।

You might also like