ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ରୋଗୀ ଶୋଇବାକୁ ନାହିଁ ପର୍ଯ୍ୟାପ୍ତ ବେଡ଼୍‌

ରୋଗୀ ଶୋଇବାକୁ ବେଡ଼୍‌ ନାହିଁ

  • ଅବ୍ୟବସ୍ଥା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ
  • ନାହିଁ ଆବଶ୍ୟକ ବେଡ୍, ବାରଣ୍ଡାରେ ପଡ଼ି ରହୁଛନ୍ତି ରୋଗୀ
  • ମେଡକାଲରେ ଖାଲି ପଡ଼ିଛି ବିଶେଷଜ୍ଞ ଓ ପ୍ରଫେସର ପଦବୀ
  • ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ରୋଗୀ ହନ୍ତସନ୍ତ

କୋରାପୁଟ: ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ପରିମଳ ବ୍ୟବସ୍ଥା ଭୁଷୁଡି ପଡିବା ସାଙ୍ଗକୁ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ ହୋଇଛି।

କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଦୈନନ୍ଦିନ ଜିଲ୍ଲା ସମେତ ଜିଲ୍ଲା ବାହାରୁ ଶହ ଶହ ରୋଗୀ ଉତ୍ତମ ସ୍ୱାସ୍ଥ୍ୟ ସେବା ଲାଗି ଧାଇଁ ଆସନ୍ତି। ହେଲେ ଘର ନପଶୁଣୁ ଚାଳ ବାଜିବା ପରିସ୍ଥିତି ହେଲାଣି। ଯେଉଁଆଡେ ଚାହିଁବେ ମାଳ ମାଳ ଗାଡି ପାର୍କିଂ ହୋଇଛି। ଫଳରେ ରୋଗୀକୁ ନେବା ଆଣିବାରେ ଅସୁବିଧା ସୃଷ୍ଟି ହେଉଛି। ସେହିପରି ମେଡିକାଲ ପରିସରରେ ଥିବା ରିଜିଓନାଲ ଡାଇଗ୍ନୋସିସ୍ ସେଣ୍ଟରରେ ପଡିରହିଛି କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ଅଲଟ୍ରାସାଉଣ୍ଡ ମେସିନ। ଫଳରେ ରୋଗୀମାନେ ବାହାରେ ଖର୍ଚ୍ଚାନ୍ତ ହେଉଛନ୍ତି। ଏମିତିକି ରେଡିଓଲୋଜିଷ୍ଟ ମଧ୍ୟ ନଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ବେଡ୍ ମଧ୍ୟ ନାହିଁ। ବେଡ ଅଭାବରୁ ବାରଣ୍ଡାରେ ରହି ଚିକିତ୍ସିତ ହେଉଛନ୍ତି ଶତାଥିକ ରୋଗୀ।

ସେପଟେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ମେଡିକାଲରେ ଭଲ ଡାକ୍ତର ନାହାନ୍ତି। ଯାହା ଟିକେ ହେବା ବେଳକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ଦେଉଛନ୍ତି। ଏମିତିକି ବ୍ରହ୍ମପୁର ଓ କଟକ ନେଇଯିବାକୁ ଡାକ୍ତରମାନେ କହୁଛନ୍ତି।

ସେପଟେ ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି, ୩ ବର୍ଷ ହେଲାଣି ମେଡିକାଲ କଲେଜ ନିର୍ମାଣ ହେବାର। କିନ୍ତୁ ଆଜି ପର୍ଯ୍ୟନ୍ତ ରୋଗୀମାନଙ୍କୁ ଶୋଇବାକୁ ସଠିକ ଭାବରେ ବେଡ ମିଳୁନାହିଁ। କୋଟି କୋଟି ଟଙ୍କା ଦେଇ ସରକାର ଅନେକ ପ୍ରକାର ମେସିନ କିଣୁଛନ୍ତି କିନ୍ତୁ ତାହାର ସଠିକ ବ୍ୟବହାର ହୋଇପାରୁନଥିବାରୁ ତାହା ବି ଖତ ଖାଇବାକୁ ବସିଲାଣି।

ଏମିତିକି ମେଡିକାଲରେ ପରିମଳ ବ୍ୟବସ୍ଥା ମଧ୍ୟ ବିଗିଡିଯାଇଥିବା ନେଇ ଅଭିଯୋଗ ହୋଇଛି। ସେପଟେ ବିଶେଷଜ୍ଞ ଓ ପ୍ରଫେସର ପଦବୀ ଖାଲି ପଡି ଥିଲେ ବି ଏଯାଏ ପୂରଣ ହୋଇପାରୁନି। ଏପଟେ ମେଡିକାଲ ସୁପରିଣ୍ଟେଣ୍ଡଡ୍‌ କହିଛନ୍ତି, ପାର୍କିଂ ଅନ୍ୟସ୍ଥାନକୁ ସ୍ଥାନାନ୍ତର ହେବ ଏବଂ ସ୍ୱଚ୍ଛତା ସହ ଅନ୍ୟ ସମସ୍ୟାର ସମାଧାନ ନେଇ ଉଦ୍ୟମ ଜାରି ରହିଛି।

You might also like