ପାକିସ୍ତାନର ପ୍ରସିଦ୍ଧ ଶକ୍ତିପୀଠ; ଚାଲି ଚାଲି ଗଲେ ପୂରଣ ହୁଏ ମନସ୍କାମନା

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଜିଠାରୁ ୯ ଦିନ ଧରି ଦେବୀଙ୍କୁ ୯ଟି ବେଶରେ ପୂଜା କରାଯାଏ। ଆରାଧନା କରାଯାଇଥାଏ। ଏହି ସମୟରେ ସାଧାରଣତଃ ଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଥର କରୋନା କଟକଣା ଯୋଗୁ ଯଦିଓ ଭକ୍ତଙ୍କ ସମାଗମ ନାହିଁ ତଥାପି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ର ପୂଜା ଅବସରରେ ଆମେ ଏମିତି ଏକ ଶକ୍ତିପୀଠ କଥା କହିବୁ ଯେଉଁଠି ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ତେବେ ଏହି ଶକ୍ତିପୀଠ କେଉଁଠି ଜାଣନ୍ତି ? ଏହି ପୀଠ ରହିଛି ପାକିସ୍ତାନରେ।

ପାକିସ୍ତାନର ବେଲୁଚିସ୍ତାନରେ ରହିଛି ଏହି ଶକ୍ତିପୀଠ। ହିଂଗଲାଜ ଭବାନୀ ମନ୍ଦିର ନାମରେ ଏହି ଶକ୍ତି ପୀଠ ପ୍ରସିଦ୍ଧ। କୁହାଯାଏ, ଏହି ମନ୍ଦିର ୨୦୦ ବର୍ଷରୁ ଅଧିକ ପୁରୁଣା।

ଦୁର୍ଗମ ରାସ୍ତାରେ ଭକ୍ତମାନେ ଚାଲି ଚାଲି ଯାଉଛନ୍ତି

ବେଲୁଚିସ୍ତାନର ହିଂଗୋଳ ନଦୀ କୂଳରେ ରହିଛି ଚନ୍ଦ୍ରକୂପ ପର୍ବତ। ଏହି ପର୍ବତ ଉପରେ ରହିଛି ମା’ ଭବାନୀଙ୍କ ମନ୍ଦିର। ମା’ଙ୍କ ମହିମା ଚାରିଆଡେ ଖ୍ୟାତ। ଦୁର୍ଗମ ରାସ୍ତା ଦେଇ ଏଠାକୁ ଯିବାକୁ ପଡ଼ିଥାଏ। ତଥାପି  ବର୍ଷ ତମାମ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଗମନ ଜାରି ରହିଥାଏ। ନବରାତ୍ର ଅବସରରେ ଏଠାରେ ମେଳା ଲାଗିଥାଏ। ବିଶ୍ୱର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟକ ହିନ୍ଦୁ ଏବଂ ମୁସଲମାନ  ଏଠାକୁ ଆସିଥାନ୍ତି।

ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କ ଭିଡ

ଏହି ମନ୍ଦିରର କାହାଣୀ ବହୁତ ପ୍ରାଚୀନ। ଭଗବାନ ଶିବ ଏବଂ ଦେବୀ ସତୀଙ୍କର ବିବାହ ସମ୍ପନ୍ନ ହୋଇ ସାରିଥାଏ। ହେଲେ ଦେବୀ ସତୀଙ୍କ ପିତା ଦକ୍ଷ ଭଗବାନ ଶଙ୍କରଙ୍କ ଅପମାନ କରିବାରୁ ଦେବୀ ସତୀ ଆତ୍ମଦାହ କରିଥିଲେ। ପ୍ରଭୁ ଶଙ୍କର ଏକଥା ଯେତେବେଳେ ଜାଣିଲେ, କ୍ରୋଧରେ କମ୍ପି ଉଠିଲେ। ଆତ୍ମଦାହ ପରେ ବି ଦେବୀ ସତୀଙ୍କ ଶରୀର ୫୧ ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଯାଇ ପଡ଼ିଥିଲା। ଏହି ଅଂଶ ଯେଉଁଠି ପଡିଲା ତାହା ଶକ୍ତିପୀଠ ରୂପରେ ପରିଚିତ ହୋଇଥିଲା।

କୁହାଯାଏ, ହିଂଗଲାଜ ମନ୍ଦିରରେ ଦେବୀ ସତୀଙ୍କ ଶିର ପଡ଼ିଥିଲା। ସେଥିପାଇଁ ଏହି ପୀଠରେ ମା’ ନିଜ ରୂପରେ ଦେଖା ଦେଇଥିଲେ। ଅବଶ୍ୟ ଏହି ମନ୍ଦିରରେ କେବଳ ମା’ଙ୍କର ଶିର ହିଁ ଭକ୍ତଙ୍କୁ ଦୃଶ୍ୟ ହୋଇଥାଏ। ତେବେ ଭକ୍ତଙ୍କ ବିଶ୍ୱାସ, ଶରୀର ଭିତରେ ଶ୍ରେଷ୍ଠ ହେଉଛି ମୁଣ୍ଡ। ତେଣୁ ସବୁ ଶକ୍ତିପୀଠ ଅପେକ୍ଷା ହିଂଗଲାଜ ଶକ୍ତି ପୀଠର ମହାତ୍ମ୍ୟ ସବୁଠାରୁ ଅଧିକ।

shakti pitha pakistan

ଏହି ପୀଠକୁ ହିନ୍ଦୁ-ମୁସଲ୍‌ମାନ ଏକତାର ଆଉ ଏକ ନମୁନା ବୋଲି କୁହାଯାଏ। ଏହି ପୀଠରେ ମୁସ୍‌ଲମାନମାନେ ମଧ୍ୟ ଦେବୀଙ୍କ ସାମ୍ନାରେ ମଥା ନୁଆଁଇ ପ୍ରଣିପାତ କରିଥାନ୍ତି। ହଜାର ହଜାର ପାକିସ୍ତାନୀ ଏହି ମନ୍ଦିରକୁ ଆସିଥାନ୍ତି। ମନ୍ଦିର ପ୍ରବନ୍ଧକ କମିଟିରେ ହିନ୍ଦୁ ଓ ମୁସଲ୍‌ମାନେ ଉଭୟେ ଅଛନ୍ତି। ତେବେ ଏହି ମନ୍ଦିର ବହୁତ ବଡ ବା ସୁଦୃଶ୍ୟ ନୁହେଁ। କିନ୍ତୁ ବହୁତ ପ୍ରାଚୀନ। ଏକ ଗୁମ୍ଫା ଭିତରେ ରହିଛି ଦେବୀଙ୍କ ପୀଠ। ଏଠାକୁ ଯିବା ପାଇଁ ରାସ୍ତା ଦୁର୍ଗମ ହେଲେ ମଧ୍ୟ ପ୍ରାକୃତିକ ପରିବେଶ ଖୁବ୍‌ ସୁନ୍ଦର।

ଆବଶ୍ୟକ କାଗଜ ପତ୍ର ଦେଖାଇ  ଭାରତର ହିନ୍ଦୁମାନେ ଏହି ମନ୍ଦିରକୁ ଯାଇଥାନ୍ତି। କାରଣ ଏଠାକୁ ଯିବାକୁ ହେଲେ ଭାରତୀୟଙ୍କୁ ପାକ୍‌ ସରକାରଙ୍କ ଅନୁମତିପତ୍ର, ଭିଜା ଆଦି ଆବଶ୍ୟକ ପଡ଼ିଥାଏ। ପୀଠକୁ ଯାଇଥିବା ୧୦ ଫୁଟର ଏକ  ଦୁର୍ଗମ ରାସ୍ତରେ ଚାଲି ଚାଲି ମା’ଙ୍କ ଦର୍ଶନ କଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

ସୂଚନାଥାଉ କି, ଦେବୀ ପୁରାଣ ଅନୁଯାୟୀ, ୫୧ ଶକ୍ତିପୀଠରୁ ୪୨ ପୀଡ କେବଳ ଭାରତରେ ରହିଛି। ଅନ୍ୟ ୯ଟି ଶକ୍ତିପୀଠ ଅନ୍ୟ ୫ଟି ଦେଶରେ ରହିଛି। ପାକିସ୍ତାନରେ ଗୋଟିଏ, ବାଂଲାଦେଶରେ ୪, ଶ୍ରୀଲଙ୍କାରେ ଗୋଟିଏ, ତିବ୍ବତ୍‌ରେ ଗୋଟିଏ ଏବଂ ନେପାଳରେ ୨ଟି ଶକ୍ତିପୀଠ ରହିଛି। ତିବ୍ବତରେ ମାନସ ଶକ୍ତିପୀଠ, ଶ୍ରୀଲଙ୍କାରେ ଲଙ୍କା ଶକ୍ତିପୀଠ, ନେପାଳରେ ଗଣ୍ଡକୀ ଓ ଗୁହେଶ୍ୱରୀ ଶକ୍ତିପୀଠ, ବାଂଲାଦେଶଣେ ସୁଗନ୍ଧ ଶକ୍ତିପୀଠ, କରତୋୟାଘାଟ ଶକ୍ତିପୀଠ, ଚଟ୍ଟଲ ଶକ୍ତିପୀଠ ଏବଂ ୟଶୋର ଶକ୍ତିପୀଠ।

You might also like