କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ, ଅନ୍ୟ କୌଣସି ସୁଇଚ୍ ନୁହେଁ

ଭୁବନେଶ୍ୱର: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।

ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍‌ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ବିଜୁଳି ବତୀକୁ ବାଦ୍ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି ଓ କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ଇଲେଟ୍ରୋନିକ୍ସ ଉପକରଣ ଚଳାଇବାରେ କୌଣସି ସମସ୍ୟା ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆଜି ରାତି ୯ଟାରେ ସାରା ଦେଶରେ ବିଜୁଳି ବତୀ ବନ୍ଦ ରହିଲେ ପାଓ୍ୱାର ଗ୍ରୀଡ୍‌ରେ ସମସ୍ୟା ସୃଷ୍ଟି ହେବ ବୋଲି ଯେଉଁ ଭୁଲ ଧାରଣା ସୃଷ୍ଟି ହୋଇଛି, ତାହା ଠିକ୍ ନୁହେଁ ବୋଲି ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଛି। ତା’ସହିତ ଏ ବିଷୟରେ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଶକ୍ତି ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।

ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବି ଏନେଇ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ। ଆଉ ଅନ୍ୟ କୌଣସି ସୁଇଚ୍ ବନ୍ଦ କରନ୍ତୁ ନାହିଁ। ମେନ୍ ସୁଇଚ୍ ଆଦୌ ବନ୍ଦ କରନ୍ତୁ ନାହିଁ। ସେହିପରି ଲାଇଟ୍ ସୁଇଚ୍ ଗୁଡିକ ଏକା ସମୟରେ ବନ୍ଦ ନ କରି, ଏହି ସମୟର କିଛି ସମୟ ପୂର୍ବରୁ ଓ କିଛି ସମୟ ପରେ ବନ୍ଦ ଓ ଅନ କରିବାକୁ ନିବେଦନ କରିଛି ବିଭାଗ। 

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ରବିବାର ରାତି ୯ଟାରୁ ୯ ମିନିଟ୍ ପାଇଁ ଘରର ସମସ୍ତ ବିଜୁଳି ବତୀ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ୍ ଫ୍ଲାଶ୍‌ ଲାଇଟ୍ ଜାଳିବାକୁ ଅନୁରୋଧ କରିଥିଲେ।

You might also like