ଦିନେ କୃଷକଙ୍କ ହକ୍‌ ପାଇଁ ଜେଲ୍ ଯାଇଥିଲେ ବାଜପେୟୀ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ନେଇ ଆଜି ସାରା ଦେଶ ବନ୍ଦ ରହିଛି। ଭାରତ ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ। କେନ୍ଦ୍ର ସରକାରଙ୍କର ନୂଆ ୩ କୃଷି ଆଇନ୍‌କୁ ଫେରାଇ ନେବାକୁ କୃଷକ ଅଡ଼ି ବସିଥିବା ବେଳେ ସରକାର ବି ନଛୋଡ଼ବନ୍ଧା। କୃଷକଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଭିନ୍ନ ରାଜନୈତିକ ଦଳ। ବିରୋଧୀ ଦଳ ବି କୃଷକ ସଂଗଠନରେ ସାମିଲ ହୋଇଛି। ତେବେ ଦେଶରେ ଏଭଳି କୃଷକ ଆନ୍ଦୋଳନ ପ୍ରଥମ ଥର ଘଟିନାହିଁ। ପ୍ରତିଥର ଦେଶର ଜିଡିପିକୁ ବଞ୍ଚାଇ ରଖିଥିବା ଚାଷୀଙ୍କୁ ନିଜ ହକ୍‌ ହାସଲ ପାଇଁ ଓହ୍ଲାଇବାକୁ ପଡ଼ିଛି ରାଜରାସ୍ତାକୁ, ସେବେ ବି ଆଉ ଏବେ ବି।

୧୯୭୪ ମସିହାରେ ବି ଏମିତି ଏକ ଚାଷୀ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ କରି କୃଷକ ହକ୍ ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ। ଏଥିପାଇଁ ତାଙ୍କୁ ଭୋଗିବାକୁ ପଡ଼ିଥିଲା କାରାବାସ। ଆନ୍ଦୋଳନ କରୁଥିବା ବେଳେ ଗରିଫ ହୋଇଥିଲେ ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ।

୧୯୭୪ ମସିହାର କଥା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଥିଲା। ସେତେବେଳେ ୟୁପିରେ ଶାସନ ଭାର ଥିଲା କଂଗ୍ରେସର ହେମବତୀ ନନ୍ଦନ ବହୁଗୁଣାଙ୍କ ହାତରେ। ସେ ସମୟରେ ବାଜପେୟୀ ଜନସଂଘର ନେତା ଥିଲେ। ଲୋକ ସମସ୍ୟା ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ବିଷୟରେ ସ୍ୱର ଉତ୍ତୋଳନ କରୁଥିଲେ।

ଚାଷୀଙ୍କୁ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ନିର୍ଦ୍ଦେଶର ବିରୋଧ

୧୯୭୪ ମସିହାରେ ଗହମ ଫସଲ ଭଲ ହୋଇଥିଲା। ଆଉ ଉତ୍ତର ପ୍ରଦେଶ ସରକାର କୃଷକଙ୍କୁ ସରକାରୀ ମୂଲ୍ୟରେ ଗହମ ବିକ୍ରି କରିବାକୁ ବାଧ୍ୟ କରୁଥିଲେ। କୃଷକମାନେ ସରକାରୀ ଦାମ୍‌ରେ ଗହମ ବିକ୍ରି କରିବା ଅନିବାର୍ଯ୍ୟ ବୋଲି ସରକାରୀ ନିର୍ଦ୍ଦେଶ ଥିଲା।   ଗହମ ଫସଲ ଭଲ ହୋଇଥିବାରୁ ସେତେବେଳେ ବଜାରରେ ଏହାର ଭଲ ମୂଲ୍ୟ ମିଳୁଥିଲା। କିନ୍ତୁ ସରକାର ଚାହୁଁଥିଲେ, ଚାଷୀର ଗହମ ସରକାରୀ ଦାମ୍‌ରେ ବିକ୍ରି ହେଉ।

ବର୍ଷଯାକ ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଫଳାଇଥିବା ଚାଷୀ ଭାବିଥିଲା ବଜାରରେ ଭଲ ଦାମରେ ଫସଲ ବିକ୍ରି କରି ଦୁଇପଇସା ଲାଭ ପାଇବ ଓ ଆଗାମୀ ଦିନ ପାଇଁ ଅଣ୍ଟସଳଖୀ ଛିଡ଼ାହେବ। କିନ୍ତୁ ସରକାରଙ୍କର ଏମିତି ହିଟ୍‌ଲର୍ ନିର୍ଦ୍ଦେଶରେ ନିରାଶ ହୋଇଥିଲା ଚାଷୀକୂଳ। ଫଳରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ସରକାର ବିରୋଧୀ ନାରା ଦେଇ ଆନ୍ଦୋଳନ କରିଥିଲେ ଚାଷୀ।

ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଅନ୍ନଦାତାର ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଥିଲା ଜନସଂଘ। ଯାହାର ନେତୃତ୍ୱ ନେଇଥିଲେ ଜନନାୟକ ଅଟଳ ବିହାରୀ ବାଜପାୟୀ। ବାଜପାୟୀଙ୍କ ନେତୃତ୍ୱରେ ସାରା ଦେଶରେ ଅନ୍ଦୋଳନ କରିଥିଲା ଜନସଂଘ। ପ୍ରାୟ ୭ ହଜାର ଲୋକଙ୍କୁ ଏକତ୍ର କରି ରାଜପଥକୁ ଓହ୍ଲାଇ କଂଗ୍ରେସ ସରକାର ବିରୋଧରେ ନାରା ଲଗାଇଥିଲେ ବାଜପାୟୀ। ଏହାପରେ ଜାତୀୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

ବାଜପାୟୀଙ୍କ ଧାରଣା ପ୍ରଦର୍ଶନ

ଜଣେ ବରିଷ୍ଠ ସାମ୍ବାଦିକଙ୍କ ସୂଚନା ଅନୁସାରେ, ସେତେବେଳେ ସରକାର ଖାଦ୍ୟ ଭଣ୍ଡାର ପାଇଁ ସାରା ଦେଶରୁ ଗହମ କିଣୁଥିଲେ। କିନ୍ତୁ ଏହା ସରକାରୀ ଦାମ୍‌ରେ ହିଁ କିଣାଯାଉଥିଲା। ଯାହା ବଜାର ଦାମ ଠାରୁ ବହୁତ କମ୍ ଥିଲା। ସରକାରଙ୍କ କହିବା କଥା ଥିଲା ଯେ ଯଦି ଚାଷୀ ଏକ କ୍ୱିଣ୍ଟାଲ ଗହମ ଉତ୍ପାଦନ କରୁଛି, ତେବେ ଏହାର ଅଧା ଭାଗ ବିକ୍ରି କରୁ। ସରକାରଙ୍କର ଏହି ନିର୍ଦ୍ଦେଶକୁ ନେଇ ତାତିଥିଲା ଚାଷୀକୂଳ। ଏହାରି ବିରୋଧରେ ଆନ୍ଦୋଳନ କରି ବାଜପାୟୀ କହିଥିଲେ ଯେ ସରକାର ଚାଷୀର ଫସଲ ବିକ୍ରି କରିବାକୁ  ଏମିତି ବାଧ୍ୟ କରିପାରିବେନି।

ଗିରଫ ହୋଇ ଜେଲ୍‌ ଗଲେ ବାଜପାୟୀ

କୃଷକ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ କରୁଥିବା ବାଜପାୟୀଙ୍କୁ ଶେଷରେ ଲକ୍ଷ୍ନୌରେ ଗିରଫ କରାଯାଇଥିଲା। ଆନ୍ଦୋଳନରତ ଯୁବକଙ୍କ ଉପରେ ପୋଲିସ ମଧ୍ୟ ବଳ ପ୍ରୟୋଗ କରିଥିଲା। ଆନ୍ଦୋଳନ ଏତେ ତୀବ୍ର ଥିଲା ଯେ ବାଜପାୟୀଙ୍କୁ ସ୍ଥାନୀୟ ଜେଲ୍‌ରେ ରଖିବା ସମ୍ଭବ ନଥିଲା। ଏଥିପାଇଁ ତାଙ୍କୁ ଦେଶର ସବୁଠାରୁ ସୁରକ୍ଷିତ ଜେଲ୍‌ଗୁଡ଼ିକ ମଧ୍ୟରେ ଗୋଟିଏ ଜେଲ୍ ନୈନୀ ଜେଲ୍‌ରେ ରଖାଯାଇଥିଲା।

କାରାଗାରରେ ୫ ଦିନ ରହିବା ପରେ ବେଲ୍‌ ପାଇ ଜେଲ୍‌ରୁ ମୁକୁଳିଥିଲେ ଅଟଳ। ସରକାର ବିରୋଧରେ ସ୍ୱର ଉତ୍ତଳୋନ କରି ବାଜପାୟୀ ପ୍ରଥମଥର ପାଇଁ ଜେଲ୍‌ ଯାଇନଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ  ଘୋଷଣା ହୋଇଥିବା ଜରୁରୀକାଳୀନ ସ୍ଥିତିରେ ବି ତାଙ୍କୁ ଗିରଫ କରାଯାଇଥିଲା।

ଏହାରି ଭିତରେ ସମୟ ଚକ ବୁଲିଲା। ସମୟ ବଦଲିଲା। ଦେଶର ଶାସନ ଭାରତ ବାଜପାୟୀଙ୍କ ହାତକୁ ଆସିଲା। ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଚାଷୀ ଓ ଚାଷ ପାଇଁ ଅନେକ ପଦକ୍ଷେପ ନେଲେ ବାଜପାୟୀ। କିଷାନ କ୍ରେଡିଟ କାର୍ଡ ସୁବିଧା ଆରମ୍ଭ କରିବା ସହ ରାଷ୍ଟ୍ରୀୟ କୃଷି ବିମା ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲେ ଅଟଳ।

You might also like