ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍‌ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରତ୍ୟାହାର ହେବ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ ବିଜ୍ଞପ୍ତି। ପ୍ରତ୍ୟାହାର ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସ୍ଥିତିରୁ ରାଜ୍ୟରେ କୌଣସି ସ୍କୁଲ ଖୋଲି ପାରିନାହିଁ। ଆସନ୍ତା ଡିସେମ୍ବର ୩୧ ତାରିଖ ଯାଏ ରାଜ୍ୟରେ କୌଣସି ସ୍କୁଲ ନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ଏବଂ କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ ଦୃଷ୍ଟିରୁ ନୂଆବର୍ଷ ଯାଏ ସ୍କୁଲ ବନ୍ଦ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ପୂର୍ବରୁ ନଭେମ୍ବରରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ କରୋନା ସଂକ୍ରମଣ କମିନଥିବା ଓ ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବ୍ୟାପିବା ଘଟଣା ପରେ ଆସନ୍ତା ଡିସେମ୍ବର ଶେଷ ଯାଏ ରାଜ୍ୟରେ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

You might also like