ସିବିଏସ୍ଇ ରାସ୍ତାରେ ଗଲା ସିଏଚ୍ଏସ୍ଇ

ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରେ ଓଡ଼ିଶାରେ ବି ବାତିଲ ହେଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର: ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରେ ଓଡ଼ିଶାରେ ବି ବାତିଲ ହେଲା ଯୁକ୍ତ ୨ ପରୀକ୍ଷା। CHSE ଦ୍ୱାରା ପରିଚାଳିତ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ସମସ୍ତ ବିଷୟର ପରୀକ୍ଷାକୁ ରଦ୍ଦ କରିଛନ୍ତି ରାଜ୍ୟ ସରକାର। କରୋନା କାଳରେ ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ କହି ପରୀକ୍ଷା ବାତିଲ୍ ବିଷୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କେଉଁ ଆଧାରରେ ମୂଲ୍ୟାୟନ ହେବ ଏବଂ ରେଜଲ୍ଟ ବାହାରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରୁ ଦ୍ୱନ୍ଦ୍ୱ ହଟୁନି।

ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାରେ ଅନ୍ତଃ। ସିବିଏସ୍ଇ ରାସ୍ତାରେ ଗଲା ସିଏଚ୍ଏସ୍ଇ। ଏବର୍ଷ ହେବନି ପ୍ଲସ୍-ଟୁ ପରୀକ୍ଷା। ମଙ୍ଗଳବାର ପ୍ରଥମେ ସିବିଏସ୍ଇ ଓ ପରେ ଆଇସିଏସଇ ଏହାର ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ ଘୋଷଣା ପରେ ରାଜ୍ୟ ପ୍ଲସ୍-ଟୁ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ନେବାକୁ ଆରମ୍ଭ ହୋଇଥିଲା ବିଚାରବିମର୍ଶ। ବୁଧବାର ଗଣଶିକ୍ଷା ବିଭାଗ ଓ ସିଏଚ୍ଏସ୍ଇ କର୍ତ୍ତପକ୍ଷଙ୍କ ମଧ୍ୟରେ ବୈଠକ ପରେ ଦୁଇ ଦିନର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପରୀକ୍ଷା ବାତିଲ୍ କରିବାକୁ ଧାର୍ଯ୍ୟ ହୋଇଥିଲା। ଆଉ ଆଜି ଏନେଇ ବିଧିବଦ୍ଧ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ। କରୋନା ପାଇଁ ପରୀକ୍ଷା କରିବା ସମ୍ଭବ ହେଉ ନଥିବାରୁ ବାତିଲ୍ କରାଗଲା। ତେବେ ପରୀକ୍ଷା ବାତିଲ୍ ବିଷୟ ଘୋଷଣା ପରେ କିଛି ପିଲା ନିଷ୍ପତ୍ତିକୁ ସ୍ୱାଗତ କରିଥିଲା ବେଳେ କିଛି ନାପସନ୍ଦ ବି କରିଛନ୍ତି।

ହେଲେ ପରୀକ୍ଷା ବାତିଲ୍ ହେବା ପରେ ଏବେ ପ୍ରଶ୍ନ କେଉଁ ଆଧାରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାର୍କ? କିଭଳି ପ୍ରକାଶ ପାଇବ ଫଳ? ସୂଚନା ଅନୁସାରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସିଏଚ୍ଏସ୍ଇ ନିର୍ଦ୍ଧାରିତ ମାପଦଣ୍ଡରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ହେବ। ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କୁ ସ୍ଥିତି ସୁଧୁରିଲେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ। ଏଥିପାଇଁ ନିର୍ଦ୍ଦେଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଏହି ପରୀକ୍ଷା କେବେ ହେବ, ତାହା ପରିସ୍ଥିତିର ସମୀକ୍ଷା କରି ସିଏଚ୍ଏସ୍ଇ ହିଁ ନିଷ୍ପତ୍ତି ନେବ। ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ୪୮ ହଜାର ପିଲା ଯୁକ୍ତ ୨ ପରୀକ୍ଷା ପାଇଁ ଆବେଦନ କରିଥିଲେ।

ଏପ୍ରିଲ ୨୯ରୁ ପ୍ରାକ୍ଟିକାଲ ଓ ମେ ୧୮ରୁ ଆରମ୍ଭ ହେବାର ଥିଲା ପରୀକ୍ଷା। ହେଲେ କରୋନା ପାଇଁ ଘୁଞ୍ଚି ଘୁଞ୍ଚି ଶେଷରେ ପରୀକ୍ଷା ବାତିଲ୍ ହେବା ପରେ ମୂଲ୍ୟାୟନର ବିକଳ୍ପ ବ୍ୟବସ୍ଥା କଣ ହେବ ତାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ଅନ୍ୟପଟେ CBSEରେ ଏକାଦଶ ପରୀକ୍ଷା ହୋଇଥିବା ବେଳେ ଦ୍ୱିତୀୟ ବର୍ଷର ଇଣ୍ଟରନାଲ୍ ପରୀକ୍ଷା ବି ହୋଇସାରିଛି। ତେଣୁ ସେହି ଆଧାରରେ ଫାଇନାଲ୍ ମାର୍କିଂ ହୋଇପାରେ। ହେଲେ CHSEରେ ଏକାଦଶ ଶ୍ରେଣୀ ପରୀକ୍ଷା ହୋଇନଥିଲା ବେଳେ ଦ୍ୱିତୀୟ ବର୍ଷର ଇଣ୍ଟରନାଲ କି ପ୍ରାକ୍ଟିକାଲ ପରୀକ୍ଷା କିଛି ବି ହୋଇପାରି ନାହିଁ। ଏଭଳି ସ୍ଥିତିରେ ମୂଲ୍ୟାୟନ କିଭଳି ହେବ ତାହା ହିଁ ବଡ଼ ପ୍ରଶ୍ନ। ସିବିଏସଇ ଓ ICSE ରାସ୍ତାରେ ଯାଇଛନ୍ତି ରାଜ୍ୟ ସରକାର। ହେଲେ ସେମାନଙ୍କ ଭଳି ଆମ ମୂଲ୍ୟାୟନ ପଦ୍ଧତି କେତେ ସ୍ୱଚ୍ଛ ହେବ ଏବଂ ଉଚ୍ଚଶିକ୍ଷାରେ ଏହା କେତେଦୂର ସହାୟକ ହେବ ତାହା ବି ପ୍ରଶ୍ନବାଚୀ।

ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର, ଜୟପୁରରୁ ଟି. ଗୌରୀଶଙ୍କରଙ୍କ ସହ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

You might also like