ଅଭିଜିତ୍‌ ଅାୟରଙ୍କୁ ଅାଶ୍ୱସ୍ତି

ସବୁ ମାମଲା ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର :  ଶେଷରେ ଅଭିଜିତ୍‌ ଅାୟରଙ୍କୁ ମିଳିଲା ଅାଶ୍ୱସ୍ତି। ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍‌ରେ ଥିବା ଅାୟରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଅାଯାଇଛି। ତାଙ୍କ ମନ୍ତବ୍ୟ ପଛରେ କୌଣସି ଉଦ୍ଦେଶ୍ୟ ନଥିଲା ଓ ଓଡ଼ିଶାବାସୀଙ୍କ ଭାବନାକୁ ଅାଘାତ ଦେଇଥିବାରୁ ଅନୁତପ୍ତ ଥିବା ଦର୍ଶାଇ ଅଭିଜିତ୍ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।

ଏହାପରେ ବିଧାନସଭା ଗୃହ କମିଟି ତାଙ୍କୁ ଗତ ମାସ ୧୬ ତାରିଖରେ କ୍ଷମା ପ୍ରଦାନ କରିଥିଲେ। ସେ ଦୃଷ୍ଟିରୁ ତାଙ୍କ ବିରୋଧରେ ଅାଉ ମାମଲା ଚଳାଇବାର ଅାବଶ୍ୟକତା ନଥିବା ଗୃହ ବିଭାଗ ଜଣାଇଛି। ବିଧାନସଭା ତାଙ୍କୁ କ୍ଷମା ଦେଇସାରିଥିବାରୁ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଲାଗି ଗତ ମାସ ୨୦ ତାରିଖରେ ଅଭିଜିତ୍ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିବେଦନ କରିଥିଲେ।

ସୋମବାର ଜେଲ ବିଭାଗ ଡିଅାଇଜି ଏହାକୁ ସରକାରଙ୍କୁ ନିକଟକୁ ପଠାଇଥିଲେ। ଏ ସମ୍ପର୍କରେ ଅଭିଜିତଙ୍କ ଓକିଲ କହିଛନ୍ତି ଅାଜି ଅଭିଜିତଙ୍କ ଜାମିନ ନେଇ ହାଇକୋର୍ଟରେ ଶୁଣାଣି ହେବ। ପରେ ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ କୋର୍ଟଙ୍କୁ ଜଣାଇବେ। ଏହା ପରେ ତାଙ୍କୁ ଜେଲରୁ ମୁକ୍ତ କରାଯିବ।

ଅଭିଜିତ୍ ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଥିବା ଭିଡିଓ ସୋସିଅାଲ ମିଡିଅାରେ ଅପଲୋଡ୍ କରିଥିଲେ। ଏହା ଭାଇରାଲ ହେବା ପରେ ସାରା ରାଜ୍ୟରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗକୁ ନେଇ ତାଙ୍କୁ ପ୍ରଥମେ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ତେବେ ତଦନ୍ତରେ ସହଯୋଗ ଲାଗି ରାଜି ହେବା ପରେ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ତେବେ ବିଧାନସଭା ଗୃହ କମିଟିରେ ହାଜର ହେବାକୁ ଅାସିଥିବା ବେଳେ ଗତ ମାସ ୨୩ ତାରିଖରେ ଓଡ଼ିଶା ପୁଲିସ ତାଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ବିଧାୟକଙ୍କ ବିରୁଦ୍ଧରେ ମନ୍ତବ୍ୟ ନେଇ ସେ ଗୃହ କମିଟିରେ ହାଜର ହୋଇ ନିଜ ପକ୍ଷ ରଖିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଝାରପଡ଼ା ଜେଲ୍‌ରେ ଥିବା ଅଭିଜିତ୍‌ଙ୍କ ସ୍ୱାସ୍ଥାବସ୍ଥା ଖରାପ ହେବାପରେ ଗତ ୨ ତାରିଖରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

You might also like