ମାଓପ୍ରବଣ ତାଲିକାରୁ ଓଡ଼ିଶାର ୫ ଜିଲ୍ଲା ବାଦ୍
ଭୁବନେଶ୍ୱର: ମାଓ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE) ଜିଲ୍ଲା ତାଲିକାରୁ ବାଦ୍ ପଡ଼ିଲା ଓଡ଼ିଶାର ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼ ଏବଂ ନୟାଗଡ଼ ଜିଲ୍ଲା ସୁରକ୍ଷା ସଂପର୍କିତ ଖର୍ଚ୍ଚ (SRE)ରୁ ବାଦ୍ ପଡ଼ିଛି। ଏନେଇ ରାଜ୍ୟ ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି।
୫ ଜିଲ୍ଲା ବାଦ୍ ପଡ଼ିଥିବା ନେଇ ଆଜି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ପୂର୍ବରୁ ୨୦୧୮ରେ ୬ଟି ଜିଲ୍ଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ମାଓ ପ୍ରଭାବିତ SRE ଜିଲ୍ଲା ତାଲିକାରୁ ବାଦ୍ ଦିଆଯାଇଥିଲା। ଏହି ମାଓ ପ୍ରବଣ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ SRE ଯୋଜନାରେ ବିକାଶମୂଳକ କାମ ଚାଲୁ ରହିଥିଲା। ରାଜ୍ୟରେ ମାଓ ଗତିବିଧି ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।