ଆତ୍ମହତ୍ୟା ଧମକ ଦେଲେ ତାରା

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି, ବେକ କାଟି ଦେବି।

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଗୃହରେ ଦୁଇ ଦୁଇ ଥର ରୁଲିଂ କରିଛନ୍ତି ବାଚସ୍ପତି। ଏହାସହ ବିଧାୟକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ରାଜ୍ୟରେ କାହିଁକି ସ୍କୁଲ ବନ୍ଦ କରାଯାଉଛି ଏବଂ ଛାତ୍ରଛାତ୍ରୀମାନେ କେଉଁଠି ପାଠ ପଢିବେ ସେ ବାବଦରେ ଗୃହରେ ସବିଶେଷ ତଥ୍ୟ ରଖିବେ ଗଣଶିକ୍ଷା ମନ୍ତ୍ରୀ।

ଅନ୍ୟପକ୍ଷେ, ବାଚସ୍ପତିଙ୍କ ରୁଲିଂ ପରେ ବି ଗୃହ ମଧ୍ୟରେ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ। ସର୍ବଦଳୀୟ ବୈଠକ ଡାକି ବିଭାଗୀୟ ମନ୍ତ୍ରୀଙ୍କୁ ଡକାଯାଇ ଏ ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ଫଳରେ ଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି।

You might also like