ଦକ୍ଷତା ବିକାଶର ବାହାଦୂରି ନେଉଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଲା ଇଣ୍ଡିଆ ସ୍କିଲ୍ ରିପୋର୍ଟ

  • ମୁଖା ଖୋଲିଦେଲା ଇଣ୍ଡିଆ ସ୍କିଲ୍ ରିପୋର୍ଟ
  • ଚାକିରି ପାଇବାକୁ ଅଯୋଗ୍ୟ ଓଡ଼ିଶାର ୬୮ %ରୁ ଅଧିକ ମାନବସମ୍ବଳ
  • ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ନିଶାନା, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ସାରା ବିଶ୍ୱ ଦେଖିବ ଓଡ଼ିଆଙ୍କ କୌଶଳ। ଅନ୍ୟ ରାଜ୍ୟ ତଥା ବିଦେଶୀ ରାଷ୍ଟ୍ର ପାଇଁ ମଡେଲ୍ ପାଲଟିବ ରାଜ୍ୟର ଦକ୍ଷତା ବିକାଶ। ଏମିତି ମନ୍ତ୍ର ନେଇ ରାଜ୍ୟ ସରକାର ସ୍ଥାପନ କରିଥିଲେ ଦକ୍ଷତା ବିକାଶ ପ୍ରାଧିକରଣ। ହେଲେ ଫଳ ଘର ଶୂନ। ଓଡ଼ିଶାର ୬୮%ରୁ ଅଧିକ ଛାତ୍ରଛାତ୍ରୀ ଚାକିରି ପାଇବାକୁ ହିଁ ଅଯୋଗ୍ୟ ଅଛନ୍ତି। ଆଖି ତରାଟିଲା ଭଳି ଏମିତି ତଥ୍ୟ ରଖିଛି, ଇଣ୍ଡିଆ ସ୍କିଲ ରିପୋର୍ଟ-୨୦୨୧।

୨୦୧୬, ଜୁନ୍ ୧୭ରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ପ୍ରତିଷ୍ଠା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ୩ ବର୍ଷରେ ରାଜ୍ୟରେ ୮ ଲକ୍ଷ ଲକ୍ଷ ମାନବ ସମ୍ଭଳ ତିଆରି କରାଯିବ ବୋଲି କୁହଯାଇଥିଲା। ଆଉ ଏଥି ପାଇଁ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଥିଲା। ଏହାର ୪ ବର୍ଷ ପରେ ରାଜ୍ୟ ସ୍ଥିତି କଣ? ଇଣ୍ଡିଆ ସ୍କିଲ୍ ରିପୋର୍ଟ ୨୦୨୧ ଅନୁସାରେ ପ୍ରକାଶ ପାଇଥିବା ମାନବସମ୍ବଳର ସର୍ବୋଚ୍ଚ ନିଯୁକ୍ତିଯୋଗ୍ୟ ଶୀର୍ଷ ୧୦ ରାଜ୍ୟର ତାଲିକା ମଧ୍ୟରେ ଓଡ଼ିଶାର ନାଁ ନାହିଁ।

ତାଲିକାର ପ୍ରଥମ ସ୍ଥାନରେ ମହାରାଷ୍ଟ୍ର ଏବଂ ଦଶମ ସ୍ଥାନରେ ରହିଛି ରାଜସ୍ଥାନ। ରିପୋର୍ଟ କହୁଛି, ରାଜସ୍ଥାନର ମାତ୍ର ୩୧.୮୭% ମାନବସମ୍ବଳ ନିଯୁକ୍ତିଯୋଗ୍ୟ ଅର୍ଥାତ୍ ରାଜସ୍ଥାନର ୬୮.୧୩% ଛାତ୍ରଛାତ୍ରୀ ଚାକିରି ପାଇଁ ଅଯୋଗ୍ୟ। ଶ୍ରେଷ୍ଠ ୧୦ରେ ସ୍ଥାନ ପାଇନଥିବା ଓଡ଼ିଶାର ସ୍ଥିତି ଏଥିରୁ ଅନୁମାନ କରନ୍ତୁ। ଓଡିଶାରେ ଏଭଳି ଚାକିରି ପାଇଁ ଅଯୋଗ୍ୟ ମାନବସମ୍ବଳ ସଂଖ୍ୟା ଆହୁରି ଅଧିକ। ଓଡିଶାରେ ବି ୬୮%ରୁ ଅଧିକ ମାନବସମ୍ବଳ ଚାକିରି ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଓଡ଼ିଶାର ଏମିତି ସ୍ଥିତି କଣ ପାଇଁ?

ଓଡିଶାର ସ୍ଥିତି ଉଦବେଗଜନକ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାରଙ୍କ ବାହାସ୍ଫୋଟ ପଦାରେ ପଡିଥିବା କଂଗ୍ରେସ କହିଥିବା ବେଳେ ବିଜେପି ବି ନିଶାନା କରିଛି। ସେପଟେ ୨୦ ବର୍ଷରେ ଶିକ୍ଷା ଭୂତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି ବୋଲି ବିଜେଡି ଜବାବ୍ ରଖିଛି।

ଭୁବନେଶ୍ୱରରେ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର। ଆଶା, ଏହା ଜରିଆରେ ଓଡ଼ିଶା ନିଜ ମାନବସମ୍ବଳଙ୍କୁ କୁଶଳୀ କରି ସେମାନଙ୍କ ଚାକିରିଯୋଗ୍ୟ ସ୍ଥିତିରେ ସୁଧାର ଆଣିପାରିିବ।

ଭୁବନେଶ୍ୱରରୁ ସୌମ୍ୟ ରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

You might also like