କାଲି ମଧ୍ୟରାତ୍ରରୁ ଘରୋଇ ବିମାନ ଉଡାଣ ବନ୍ଦ
ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆସନ୍ତାକାଲି ଠାରୁ ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ମଧ୍ୟରାତ୍ର ଅର୍ଥାତ ରାତି ୧୨ଟାରୁ ଦେଶ ମଧ୍ୟରେ କୌଣସି ଘରୋଇ ବିମାନ ଚଳାଚଳ କରିପାରିବ ନାହିଁ। ତେଣୁ ବିମାନ କମ୍ପାନୀମାନେ ଆସନ୍ତାକାଲି ରାତି ୧୨ଟା ପୂର୍ବରୁ ହିଁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର ବ୍ୟବସ୍ଥା କରିବେ। ଏହାପରେ ଆଉ କୌଣସି ଉଡ଼ାଣ ହେବନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ପାଳନ କରାଯିବ। ତେବେ ଏହି କଟକଣା ବେଳେ Cargo ବିମାନ ଗୁଡ଼ିକ ଯଥାରିତ କାର୍ଯ୍ୟ କରିବେ।
ସୂଚନାଥାଉ କି, ଏହାପୂର୍ବରୁ ରବିବାର ଦିନଠୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଥିଲେ। ସେହିପରି ଆସନ୍ତା ୩୧ ତାରିଖ ଯାଏ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଛି।