“ନୋ କ୍ୟାସ୍‌, ନୋ ପେଟିଏମ୍‌” ପୋଷ୍ଟର ଲଗାଇଲେ ଲୋକେ

ନୂଆଦିଲ୍ଲୀ: “ନୋ କ୍ୟାସ୍‌, ନୋ ପେଟିଏମ୍‌…ନୋ ଆକାଉଣ୍ଟ୍‌”। ପୋଷ୍ଟରରେ ଏମିତି କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି ଦିଲ୍ଲୀର ଶାହିନ୍‌ବାଗ୍‌ରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ସ୍ଥାନରେ। ଅଭିଯୋଗ ଆସିଛି ଯେ, ବିକ୍ଷୋଭ ପ୍ରଦର୍ଶନ ପାଇଁ ଏଠାକୁ ଆସିଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆ ଯାଇଥିଲା। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ବିରୋଧ କରି ବିକ୍ଷୋଭରେ ସାମିଲ ହୋଇଥିବା ମହିଳାଙ୍କୁ ପ୍ରତ୍ୟେକ ଦିନ ୫୦୦ ଟଙ୍କା ଦିଆଯାଇଥିବା ନେଇ ଭାଇରାଲ ଭିଡିଓରେ ଦାବି କରାଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ରାଗ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଏହି ଭିଡିଓର ଜବାବ ଦେଇ ଏବେ ଶାହିନ୍‌ବାଗ୍‌ର ବିଭିନ୍ନ ସ୍ଥାନରେ “ନୋ କ୍ୟାସ୍‌, ନୋ ପେଟିଏମ୍‌”ର ପୋଷ୍ଟର ଲଗାଯାଇଛି। ବିକ୍ଷୋଭକାରୀଙ୍କ କହିବା କଥା ବିକ୍ଷୋଭ ପ୍ରଦର୍ଶନ ସ୍ଥଳରେ ଏହି ପୋଷ୍ଟର ଏଥିପାଇଁ ଲଗାଯାଇଛି ଯେ, ନା ଏଠି କେହି ପଇସା ନେଉଛନ୍ତି ନା ପଇସା କାହାକୁ ଦେଉଛନ୍ତି।

ଏହି ଘଟଣାକୁ ନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି, ବ୍ୟାଙ୍କ୍‌ ଆକାଉଣ୍ଟ୍‌ ମାଧ୍ୟମରେ ଟଙ୍କା ନେବା, ଅନ୍‌ଲାଇନ୍‌ ଟ୍ରାନ୍ସଫର୍‌ କିମ୍ବା କ୍ୟାସ୍‌ ଦେବା ଏଠାରେ କଡ଼ାକଡ଼ି ଭାବେ ନିଷିଦ୍ଧ। ଲଗାଯାଇଥିବା ପୋଷ୍ଟରରେ ମଧ୍ୟ ସମାନ କଥା ଲେଖା ହୋଇଛି। ଏସବୁ ବ୍ୟତୀତ ଆମେ ବାରମ୍ବାର ବିକ୍ଷୋଭକାରୀଙ୍କୁ ସତର୍କ କରାଉଛି, ଟଙ୍କା ନ ନେବା ପାଇଁ’।

ସେହିପରି ଆଉ ଜଣେ ବିକ୍ଷୋଭକାରୀ କହିଛନ୍ତି, “ଯେଉଁମାନେ ଗୁଜବ ଖବର ପ୍ରଚାର କରୁଛନ୍ତି ବିକ୍ଷୋଭ କରୁଥିବା ମହିଳାମାନେ ପଇସା ନେଇଛନ୍ତି, ଏହାର ଜବାବ ଦେବା ପାଇଁ ନୋ କ୍ୟାସ୍‌, ନୋ ପେଟିଏମ୍‌” ପୋଷ୍ଟର ଲଗାଯାଇଛି”।

You might also like