ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ୍, ଟ୍ରେନ୍ ଡ୍ରାଇଭର ଦେଲେ ଚାଞ୍ଚଲ୍ୟକର ବୟାନ
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସିଛି। ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସ୍ ଚଳାଉଥିବା ଡ୍ରାଇଭର ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ରେନ୍ ଡ୍ରାଇଭର। ଏହି ଘଟଣାରେ ଟ୍ରେନ୍ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି GRP।
ଡ୍ରାଇଭରଙ୍କ କହିବା ଅନୁସାରେ, ‘ସେଦିନ ରାତି ୮ଟା ୨୦ରେ ଟ୍ରେନ୍ ରେତଙ୍ଗ ଛାଡ଼ିଥିଲା। ରାତି ୮ଟା ୩୫ରୁ ୪୦ରେ ଭୁବନେଶ୍ୱରରେ ଟ୍ରେନ୍ ପହଞ୍ଚିଲା। ଏହା ଭିତରେ କୌଣସି ଠାରେ କାହାକୁ ଟ୍ରେନ୍ ଧକ୍କା ଦେଇନାହିଁ। ଯଦିବି କାହାକୁ ଟ୍ରେନ୍ ଧକ୍କା ଦେଇଥାନ୍ତା, ତା’ହେଲେ ମୁଁ ନିଶ୍ଚିତ ଜାଣିପାରିଥାନ୍ତି। ଏ ସମ୍ପର୍କରେ ରିପୋର୍ଟ ମଧ୍ୟ କରିଥାନ୍ତି।’
ଅନ୍ୟପକ୍ଷରେ, ଏହି ଘଟଣାରେ ଜିଆର୍ପି ତନାଘନା ଜାରି ରଖିଥିବାବେଳେ ଲିଙ୍ଗରାଜ ରେଲ୍ୱେ ଷ୍ଟେସନଠାରୁ ୨ ଶହ ମିଟର ଦୂରରୁ ଆଉ ଦୁଇଟି ସିସିଟିଭି ଫୁଟେଜକୁ ଜବତ କରିଛି ପୋଲିସ୍।
ଜବତ ୨ଟି ସିସିଟିଭି ମଧ୍ୟରୁ ଗୋଟିଏ ସିସିଟିଭି ଫୁଟେଜ ଭଲ ଭାବେ ଦୃଶ୍ୟମାନ ହେଉଥିବା ନେଇ ସୂଚନା ମିଳିଛି। ଆଦିତ୍ୟଙ୍କ ମୃତ୍ୟୁ ସମୟରେ ୩ଟି ଟ୍ରେନ୍ ସେହି ବାଟ ଦେଇଯାଇଥିବା ବେଳେ ସେଥିମଧ୍ୟରୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଟ୍ରେନ୍ ଡ୍ରାଇଭରଙ୍କ ବୟାନ ରେକର୍ଡ କରିଛି ଜିଆରପି।
ଏହାରି ମଧ୍ୟରେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ୧୨ ଦିନ ବିତିଲାଣି। ତଥାପି ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ଉଠି ପାରୁନି।
ଆହୁରି ମଧ୍ୟ ପଢ଼ନ୍ତୁ: ଉଠିବ କି ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟ ଉପରୁ ପର୍ଦ୍ଦା ? ପତ୍ନୀଙ୍କୁ ହୋଇପାରେ ଜେରା