କରୋନା ବ୍ରେକ ପାଇଁ କଟକରେ ଲାଗୁ ହେବ ନୂଆ କଟକଣା

କଟକ:କଟକରେ କରୋନା କାୟା ବିସ୍ତାର କରି ଚାଲିଛି। ଆଜି ଦିନକରେ କଟକରୁ  ୫୭୦ ପଜିଟିଭ ବାହାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋମବାର ଠାରୁ କଟକ ସହରରେ ସାନି କଟକଣା ଲାଗୁ କରାଯାଉଛି ।  ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଲାଗୁ ହେଲା କଟକଣା। କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ, ଛତ୍ରବଜାରରେ କାରବାର ବନ୍ଦ ରହିବ।  ଦିନ ୨ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରେସମିଟରେ ସୂଚନା ଦେଲେ ସିଏମସି କମିଶନର ଅନନ୍ୟା ଦାସ।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଥିବାବେଳେ ଏଥିରେ ବ୍ରେକ ଦେବାପାଇଁ ସହଯୋଗର ହାତ ବଢାଇଛନ୍ତି ବ୍ୟବସାୟୀ ସଂଘ। ପୂର୍ବରୁ ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ଉଠା ଦୋକାନୀ ସଂଘ ନିଷ୍ପତ୍ତି କ୍ରମେ ସହରାଞ୍ଚଳରେ ୨୯ ତାରିଖରୁ ଅପରାହ୍ନ ୨ଟାରୁ ପରଦିନ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖାଯାଇଛି।

ସେହିପରି ପୁରୀ ସହରରେ ୨୯ ତାରିଖରୁ ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସମ୍ବଲପୁରରେ ମଧ୍ୟ ସକାଳ ୭ରୁ ଅପରାହ୍ଣ ୨ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସମ୍ବଲପୁର ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ କୁହାଯାଇଛି । ସେପଟେ କଳାହାଣ୍ଡି ବଣିକ ସଂଘ ମଧ୍ୟ ପୂରା ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ।

ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ମଧ୍ୟ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗୁରୁବାର ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଥିବା ବେଳେ ଶୁକ୍ରବାର ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪ ଜଣ ଆଖି ବୁଜିଛନ୍ତି।

You might also like