ଜଳପଥରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ

ନୂଆଦିଲ୍ଲୀ: ୨୬-୧୧ ମୁମ୍ବାଇ ଆକ୍ରମଣ ଭଳି ଜଳପଥରେ ଆସି ଆକ୍ରମଣ କରିପାରନ୍ତି ପାକ୍ ପ୍ରଶିକ୍ଷିତ ଆତଙ୍କବାଦୀ। ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି ନୌସେନା ମୁଖ୍ୟ ଆଡ୍‌ମିରାଲ ସୁନୀଲ ଲାନ୍‌ୱା। ଏନେଇ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଗୁଇନ୍ଦା ସୂଚନା ଆଧାରରେ ସେ କହିଛନ୍ତି।

ସମୁଦ୍ର ପଥରେ ଆକ୍ରମଣ କରିପାରନ୍ତି ପାକିସ୍ତାନୀ ଆତଙ୍କବାଦୀ। ଏଥିପାଇଁ ସେମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଉଛି। ଗୁଇନ୍ଦା ସୂଚନା ଆଧାରରେ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡ୍‌ମିରାଲ୍ ସୁନୀଲ ଲାନ୍‌ୱା। ଆତଙ୍କବାଦୀ ନୂଆ ନୂଆ ଉପାୟରେ ଆକ୍ରମଣ କରିବାକୁ ଯୋଜନା ଚଳାଇଥିବାରୁ ସେ ଚିନ୍ତାବ୍ୟକ୍ତ କରିଛନ୍ତି। ପାକିସ୍ତାନର ନାଁ ନନେଇ ଭାରତରେ ଅସ୍ଥିରତା ସୃଷ୍ଟି କରୁଥିବା ଏକ ରାଷ୍ଟ୍ରର ପ୍ରତ୍ୟକ୍ଷ ସହଯୋଗରେ ପୁଲଓ୍ୱାମା ଆକ୍ରମଣ କରାଯାଇଥିବା ଇଣ୍ଡୋ-ପାସିଫିକ୍ ରିଜିଓନାଲ ଡାଏଲଗ୍‌ର ବିଶେଷଜ୍ଞ ସମ୍ମିଳନୀରେ ଲାନ୍‌ୱା ଏହା କହିଛନ୍ତି।

ଆତଙ୍କବାଦର ମୂଳୋତ୍ପାଟନ ଲାଗି ସବୁ ଦେଶ ମିଳିତ ଉଦ୍ୟମ ନକଲେ ଭବିଷ୍ୟତରେ ଏହା ଆହୁରି ଭୟଙ୍କର ରୂପ ଧାରଣ କରିବ ବୋଲି ସେ ଚେତାଇ ଦେଇଛନ୍ତି।

picture credit-The Hindu

ସେପଟେ ବାଲାକୋଟ ଏୟାର୍‌ ଷ୍ଟ୍ରାଇକକୁ ନେଇ ବିରୋଧୀଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ତଥା ବୈଦେଶିକ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ. ସିଂ ଗୁଇନ୍ଦା ସୂଚନା ଆଧାରରେ ହିଁ ଏହି ଆକ୍ରମଣ କରାଯାଇଥିଲା ଓ ସେଠାରେ ୨୫୦ରୁ ୩ଶହ ପର୍ଯ୍ୟନ୍ତ ଆତଙ୍କବାଦୀ ରହିବାର ବ୍ୟବସ୍ଥା ଦୃଷ୍ଟିରୁ  ମୃତ୍ୟୁସଂଖ୍ୟାକୁ ନେଇ ଅନୁମାନ ଲଗାଯାଉଥିବା ସେ କହିଛନ୍ତି। ଯଦି ଏୟାର୍ ଷ୍ଟ୍ରାଇକରେ ପାକିସ୍ତାନର କିଛି କ୍ଷୟକ୍ଷତି ହୋଇନାହିଁ ତେବେ କାହିଁକି ପାକିସ୍ତାନ ବାୟୁସେନା ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ନିର୍ବାଚନ ସହ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକର କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ। ଆତଙ୍କବାଦୀଙ୍କ ଗତିବିଧି ଓ ଭାରତରେ ପୁଣି ହିଂସାକାଣ୍ଡ ଘଟାଇବା ଲାଗି ସେମାନଙ୍କ ଯୋଜନା ସଂପର୍କରେ ଗୁଇନ୍ଦା ସୂଚନାକୁ ଆଧାର କରି ଏହି ଆକ୍ରମଣ କରାଯାଇଥିଲା, ଓ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ମୃତାହତ ସଂପର୍କରେ ବୈଦେଶିକ ସଚିବ ଯାହା କହିଥିଲେ ତାହା ହିଁ ସରକାରଙ୍କ ଆଭିମୁଖ୍ୟ ବୋଲି ନିର୍ମଳା କହିଛନ୍ତି।

photo credit-The Hindu

ସେପଟେ ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ଓ ଏହା ପରବର୍ତ୍ତୀ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଭାରତୀୟ ସବ୍ ମେରିନ୍ ଏହାର ଜଳସୀମା ଉଲ୍ଲଙ୍ଘନ କରିବାକୁ ଉଦ୍ୟମ କରିଥିବା ପାକିସ୍ତାନ ଅଭିଯୋଗ ଆଣିଛି। ଏପଟେ ଜମ୍ମୁ ଓ କଶ୍ମୀରରେ ସେନାର ଆତଙ୍କବାଦୀ ବିରୋଧୀ ଅଭିଯାନ ଜାରି ରହିଛି। ତ୍ରାଲ୍‌ରେ ଚାଲିଥିବା ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

 

You might also like