ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣା; କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଉମରକୋଟ(କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ନିର୍ମାଣାଧିନ ସେତୁ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।ତୁରନ୍ତ ସମ୍ପୃକ୍ତ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଉନ୍ନୟନ କମିଶନର ପ୍ରଦୀପ ଜେନା ଜିଳ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଗିରଫ କରିବାକୁ ବି ନିର୍ଦ୍ଦେଶନାମାରେ କହିଛନ୍ତି ଉନ୍ନୟନ କମିଶନର। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେବାସହ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଘଟଣାସ୍ଥଳ ଅନୁଧ୍ୟାନ କରି ତଦନ୍ତ କରିବାକୁ ଉନ୍ନୟନ କମିଶନର କହିଛନ୍ତି।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ତାଲାପଦର ଗାଁ ନିକଟରେ ଗତକାଲି ଅପରାହ୍ନରେ ଏହି ସେତୁର ନିର୍ମାଣ କାମ ଚାଲିିଥିବାବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୪ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। କୋରାପୁଟ‌ରୁ ଓଡ୍ରାଫ୍ ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ସେଣ୍ଟ୍ରିଂରେ ଲାଗିଥିବା ପୁରୁଣା ପାଇପ୍ ଯୋଗୁ ଏଭଳି ଘଟଣା ଘଟିଥିବା ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି।

ତାଲାପଦର ଠାରୁ ଜାନୀଗୁଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ନାଗୀ ନଦୀ ଉପରେ ବିଜୁ ସେତୁ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପୋଲ ନିର୍ମାଣ କରାଯାଉଥିଲା। ସୂଚନା ଅନୁସାରେ, ଗତକାଲି ସକାଳେ ପୋଲର ମଧ୍ୟ ଭାଗରେ ସ୍ଲାବ୍ କାମ ଚାଲିଥିବା ସମୟରେ ଅପରାହ୍ନ ୫ଟା ସମୟରେ ହଠାତ୍ ପୋଲଟି ଭୁଶୁଡ଼ି ପଡିଥିଲା। ପୋଲଟି ଭୁଶୁଡ଼ି ପଡିବାରୁ ସ୍ଲାବ୍‌ କାର୍ଯ୍ୟ କରୁଥିବା ୧୪ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଶ୍ରମିକ ପୋଲ ତଳକୁ ଖସିପଡ଼ି ଚାପି ହୋଇ ଯାଇଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ତାଲାପଦର ଗ୍ରାମର କିଛି ଯୁବକ ପୋଲ ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ପୋଲ ନିର୍ମାଣ ନିମ୍ନ ମାନର ଚାଲିବା ସହ ନିମ୍ନ ମାନର ସିମେଣ୍ଟ ଓ ବାଲି ବ୍ୟବହାର କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ଶୁଣି ନଥିବା ସ୍ଥାନୀୟ ୱାର୍ଡ ମେମ୍ବରଙ୍କୁ ଅଭିଯୋଗ କରିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଚିନ୍ତାବ୍ୟକ୍ତ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ ଓ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ବୈଜୟନ୍ତ ପଣ୍ଡା।

You might also like