ରାଜଧାନୀ ଉପକଣ୍ଠରେ ଅଦ୍ଭୁତ ଗଛ; ମଞ୍ଜିରୁ ଗଛ ହୁଏନି, ତଥାପି ଗଛ ଉଠୁଛି

ଭୁବନେଶ୍ୱର(ଜଗଦୀଶ ଦାସ): ‍ ‍ବର୍ଷ ବର୍ଷ ବିତିଗଲାଣି। ହେଲେ ଏହା କେଉଁ ଗଛ କେହି ଜାଣି ପାରୁନାହାନ୍ତି। ନା ସ୍ଥାନୀୟ ଲୋକ ନା ଉଦ୍ଭିଦ ବିଜ୍ଞାନୀ, କେହି କହି ପାରୁନାହାନ୍ତି କେଉଁ ପ୍ରଜାତିର ଗଛ ଏହା । ହେଲେ ଲୋକେ କିନ୍ତୁ ଏହି ଗଛକୁ ୬୦ ବର୍ଷ ଧରି ପୂଜା କରି ଆସୁଛନ୍ତି। ଆଉଁ କେଉଁଠି ନୁହେଁ, ଏମିତି ଅଜଣା ଗଛ ରହିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ।

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଶିମିଳିପାଟଣାରେ ଅଜାଣେଶ୍ୱର ପୀଠ । ଏହି ପୀଠର ମହାତ୍ମ୍ୟ ରହିଛି। ଏଠାରେ ବହୁ ପୁରୁଣା ଗଛ ରହିଛି। ଏହା ଏମିତି ଗଛ, ଯାହା ଲତା କି ଗୁଳ୍ମ କି ଗଛ ପ୍ରଜାତିର ତାହା କେହି ଜାଣି ପାରୁନାହାନ୍ତି। ଯେମିତି ଏହି  ବୃକ୍ଷ ସମସ୍ତଙ୍କ ପାଇଁ ଅଜଣା !  ଉଦ୍ଭିଦ ବିଜ୍ଞାନୀ ମାନେ ବି ଚିହ୍ନଟ କରିପାରି ନାହାନ୍ତି ଏହି ଗଛକୁ।

ସ୍ଥାନୀୟ ବାସିନ୍ଦା ଏହାକୁ ଏକ ପବିତ୍ର ବୃକ୍ଷ ମାନି ପ୍ରାୟ ୬୦ ବର୍ଷ ଧରି ପୂଜା କରି ଆସୁଛନ୍ତି । ସେମାନେ ବିଶ୍ୱାସ କରନ୍ତି, ଏଠାରେ ମାନସିକ ରଖି ପୂଜା କଲେ  ନିଶ୍ଚୟ ତାହା ପୁରଣ ହୁଏ । ରୋଗ ଭଲ ହୁଏ। ଏହାର ପତ୍ରକୁ ବହିରେ ରଖିଲେ ପରୀକ୍ଷା ଭଲ ହୁଏ ବୋଲି ଏଠିକାର ଲୋକେ ବିଶ୍ୱାସ କରନ୍ତି।  ଆଶ୍ଚର୍ଯ୍ୟର କଥା ହେଉଛି, ନବକଳେବର ସମୟରେ ଏହି ପବିତ୍ର ବୃକ୍ଷ ଦେହ ତ୍ୟାଗ କରିଥିଲେ। ହେଲେ ପୁଣି ଆପେ ଆପେ କିଛି ଦୂରରେ ପୁଣି ଥରେ ଉତ୍ପନ୍ନ ହୋଇଥିଲେ । ମୂଳ ବୃକ୍ଷ ଏବଂ ଏବର ବୃକ୍ଷ ଦେଖିବାକୁ ଏକାପରି। ସେବେଠାରୁ ଆଜିଯାଏ ଏହି ବୃକ୍ଷକୁ ଲୋକେ ପୂଜା କରୁଛନ୍ତି। 

ମାତ୍ର କେଇ ବର୍ଷରେ ଏହି ଗଛଟି ତା’ର କଳେବର ବିସ୍ତାରିତ କରିପାରିଛି। ଆଶ୍ଚର୍ଯ୍ୟର କଥା ଏହା ଯେ,  ଗଛଟିର ମୂଳ ଦେଖିଲେ ଏହା ବରଗଛ ପରି ମୋଟା ଦେଖାଯାଉଛି। ହେଲେ ଏହା ଲଟା ଗଛ ପରି ମାଡିଚାଲିଛି। ଗଛ ସମ୍ମୁଖରେ ରହଛି ୨ଟି ପାଦୁକା। ତାକୁ ମଧ୍ୟ ଲୋକେ ପୂଜା କରୁଛନ୍ତି। ଏଠାରେ ଥିବା ମଠରେ ଜଣେ ସାଧୁ ରହୁଛନ୍ତି।

ଏହାର ମୂଳରେ ବିରାଟ ଉଇ ହୁଙ୍କା ରହିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ବୃକ୍ଷରେ ସର୍ପ ନିବାସ କରିଥାଏ । ୧୯୭୬ରେ ଋଷରୁ ଉଦ୍ଭିଦ ବିଜ୍ଞାନୀ ଏଠାକୁ ଆସି ଗଛ ଉପରେ ଗବେଷଣା କରିଥିଲେ। ହେଲେ ଏହା ଲତା କି ଗୁଳ୍ମ ନା ଗଛ ପ୍ରଜାତିର ତାହା ଜାଣିପାରି ନଥିଲେ।

ବହୁ ସମୟରେ କୃଷି ବିଶ୍ୱ ବିଦ୍ୟାଳୟ, ଜଙ୍ଗଲ ବିଭାଗ ପକ୍ଷରୁ ବି ଅନୁଧ୍ୟାନ କରାଯାଇଛି।  କିନ୍ତୁ ରହସ୍ୟ ଉନ୍ମୋଚନ ହୋଇପାରିନି। ସବୁଠାରୁ ବିସ୍ମୟକର କଥା ହେଉଛି ଏ ବୃକ୍ଷର ମଞ୍ଜିରୁ ଗଛ ହୋଇନଥାଏ । ତଥାପି ଗଛ ଉଠେ। କେମିତି ଉଠେ ତାହା କେହି ଜାଣନ୍ତି ନାହିଁ।

ସାଧାରଣରେ ଏହି ବୃକ୍ଷକୁ ନେଇ ଅନେକ ପ୍ରଶ୍ନ ରହିଛି। ତଥାପି ସ୍ଥାନୀୟ ଏହାର ମହାତ୍ମ୍ୟକୁ ସମ୍ମାନ କରିନ୍ତି। ପୂଜା କରନ୍ତି। ଯିଏ ଏଠାକୁ ଆସୁଛି ଏହାର ଆଧ୍ୟାତ୍ମିକ ପରିବେଶରେ ବିମୁଗ୍ଧ ହୋଇ ଯାଉଛି।

 

You might also like