୧୮ ହଜାର ଟଙ୍କାରେ ୩୬୦ ସିଟ ବିଶିଷ୍ଟ ବିମାନରେ ମୁମ୍ବାଇରୁ ଦୁବାଇକୁ ଏକାକି ଯାତ୍ରା କଲେ ଏହି ବ୍ୟକ୍ତି

ମୁମ୍ବାଇ: ବେଳେ ବେଳେ ଏମିତି ଇଚ୍ଛା ହୋଇଥାଏ ବିମାନରେ ଇକୋନମିକ କ୍ଲାସ ପରିବର୍ତ୍ତେ ବିଜନେସ କ୍ଲାସରେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଯଦି ଚାର୍ଟର୍ଡ଼ ଫ୍ଲାଇଟରେ ହୁଏ ତା’ହେଲେ ଖୁସି ଦ୍ବିଗୁଣିତ ହୋଇଯାଏ। ଯଦି ଏକାକି ବିମାନରେ ଯାତ୍ରା କରିବା ପାଇଁ ସୁଯୋଗ ମିଳେ, ତା’ହେଲେ ଏଭଳି ସ୍ଥିତିରେ ଯେକେହିବି ନିଜକୁ ରାଜା ବୋଲି ଭାବିଥାନ୍ତି। ଏମିତି କିଛି ଘଟଣା ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଘଟିଛି।

ସୂଚନା ଅନୁସାରେ, ମୁମ୍ବାଇର ୪୦ ବର୍ଷୀୟ ଭବେଶ ଜାଭେରି ମୁମ୍ବାଇରୁ ଦୁବାଇକୁ ଯିବା ପାଇଁ ଇକୋନମିକ କ୍ଲାସରେ ୧୮ ହଜାର ଟଙ୍କାର ବିମାନ ଟିକେଟ ବୁକ କରିଥିଲେ। ମେ’ ୧୯ରେ ତାଙ୍କର ଯାତ୍ରା ଥିଲା। ସେଇଦିନ ସେ ଏକାକି ଏମିରେଟ୍ସ ଫ୍ଲାଇଟରେ ମୁମ୍ବାଇରୁ ଦୁବାଇକୁ ଯାତ୍ରା କରିଥିଲେ। ୩୬୦ ସିଟ ବିଶିଷ୍ଟ Boeing 777ର ଏହି ଏୟାରକ୍ରାଫ୍ଟରେ ଭବେଶଙ୍କ ବ୍ୟତୀତ ଆଉ କେହିବି ଯାତ୍ରୀ ନଥିଲେ।

ସାଧାରଣତଃ ସେ ବିମାନର ବିଜନେସ କ୍ଲାସରେ ଯାତ୍ରା କରିଥାନ୍ତି। ହେଲେ ଏଥର ସେ ଇକୋନମିକ କ୍ଲାସରେ ଟିକେଟ ବୁକ କରିଥିଲେ। ମେ ୧୯ ସାଢ଼େ ୪ଟାରେ ଫ୍ଲାଇଟ ଛାଡିବାର ଥିଲା। ଯେତେବେଳେ ସେ ଫ୍ଲାଇଟରେ ପ୍ରବେଶ କଲେ ଏୟାରହୋଷ୍ଟେସମାନେ ତାଳି ମାରି ତାଙ୍କୁ ସ୍ୱାଗତ କରିଥିଲେ। ଯାହାକୁ ଦେଖି ସେ ପୁରାପୁରି ଚକିତ ହୋଇଯାଇଥିଲେ। କାରଣ ଫ୍ଲାଇଟରେ ତାଙ୍କୁ ଓ କ୍ରି୍ୟୁ ମେମ୍ବର୍ସଙ୍କୁ ଛାଡିଦେଲେ ଆଉ କେହିବି ନଥିଲେ। କେବଳ ସେ ଜଣେ ହିଁ ଯାତ୍ରୀ ଥିଲେ। ଏତେ ବଡ଼ ବିମାନରେ ଏକାକି ଯାତ୍ରା କରିବା କଥା ଭାବି ଭବେଶ ଉତ୍ସାହିତ ଥିଲେ।

କରୋନାକୁ ଦୃଷ୍ଟିରେ ରଖି UAE(United Arab Emirates) ପକ୍ଷରୁ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। କେବଳ UAE ନାଗରିକ, UAE ଗୋଲଡେନ ଭିସା ଓ ଡିପ୍ଲୋମାଟିକ ମିଶନର ସଦସ୍ୟମାନେ ହିଁ କେବଳ ଭାରତରୁ ୟୁଏଇକୁ ଯାତ୍ରା କରିପାରିବେ। ଭବେଶଙ୍କ ପାଖରେ ଗୋଲଡେନ ଭିସା ଥିଲା ଓ ସେ ୧୮ ହଜାର ଟଙ୍କା ଦେଇ ଇକୋନିମିକ କ୍ଲାସରେ ଟିକେଟ ବୁକ କରିଥିଲେ। ଯାତ୍ରାର ସପ୍ତାହକ ପୂର୍ବରୁ ଏୟାର ଲାଇନକୁ କଲ କରି ସେ ଏହି ଟିକେଟ ବୁକ କରିଥିଲେ।

ତେବେ ଜଣେ ଯାତ୍ରୀଙ୍କୁ ମୁମ୍ବାଇରୁ ଦୁବାଇ ନେବା ଲାଗି ଏମିରାଟସର ନିଷ୍ପତ୍ତି ଅଲଗା ଥିଲା। ମିଳିଥିବା ସୂଚନା ଅନୁସାରେ, ଏହା ସେତେବେଳେ ସମ୍ଭବପର, ଯେତେବେଳେ ବିମାନରେ ଦୁବାଇରୁ ଯାତ୍ରୀମାନେ ମୁମ୍ବାଇ ଆସିଛନ୍ତି, ହେଲେ କୌଣସି କାରଣରୁ ବିମାନଟିକୁ ଦୁବାଇ ଫେରିବାକୁ ପଡିବ ଓ ଏହି ସମୟରେ ଭବେଶ ଟିକେଟ ବୁକ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଏୟାରଲାଇନ୍ସ ଭବେଶଙ୍କୁ ଟିକେଟ ଦେଇଥାଇପାରେ।

You might also like