୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ମୌସୁମୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫଳରେ ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜୁନ୍‌ ୧୩ ଯାଏ ଏଭଳି ସ୍ଥିତି ଲାଗି ରହିବ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅଧିକାଂଶ ଜିଲ୍ଲାକୁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

ଝଡ଼ତୋଫାନ, ବର୍ଷା ଓ ବଜ୍ରପାତକୁ ନେଇ ଆଇଏମ୍‌ଡିର ପୂର୍ବାନୁମାନକୁ ଦୃଷ୍ଟିରେ ରଖି, ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ଜୁନ୍‌ ୧୦ ତାରିଖ ସକାଳ ସାଢ଼େ ୮ଟା ଯାଏ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାସହ ଝଡ଼ ତୋଫାନ ମଧ୍ୟ ହୋଇପାରେ।

ଉପକୂଳବର୍ତ୍ତୀ ଜିଲ୍ଲା ଓ ରାଜ୍ୟର ଅନ୍ୟ ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇପାରେ। ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଜୁନ୍‌ ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ନେଇ ଜୁନ୍‌ ୧୨ ତାରିଖ ସକାଳ ସାଢ଼େ ୮ଟା ଯାଏ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରାଯାଇଛି।

ନୂଆପଡ଼ା, ବରଗଡ଼, ବଲାଙ୍ଗିର ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାବାସୀଙ୍କୁ ଜୁନ୍‌ ୧୩ ତାରିଖ ସକାଳ ସାଢ଼େ ୮ଟା ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

You might also like