ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲାର ତଦନ୍ତ କରୁଥିବା Narcotics Control Bureau (NCB) ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ୍ ପ୍ରୀତ ସିଂହ, ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ, ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କୁ ଜେରା କରିଛି।

ଜେରାର ସମ୍ମୁଖୀନ ହୋଇଥିବା ଏହି ଅଭିନେତ୍ରୀମାନଙ୍କ ମୋବାଇଲ୍ ଫୋନ୍‌କୁ ଏବେ ସିଜ୍‌ କରାଯାଇଥିବା ଜଣାପଡ଼ିଛି। ଅଧିକ ତଦନ୍ତ ପାଇଁ ଫୋନ୍‌ ସିଜ୍‌ କରାଯାଇଥିବା ସୂଚନା ମିଳିଛି। ଫଳରେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଆଉ କିଛି ଗୁମର ଖୋଲିବ ବୋଲି ଆଶଙ୍କା କରାଯାଉଛି।

ଗତକାଲି କୋଲାବାରେ ଥିବା NCB ଗେଷ୍ଟ ହାଉସରେ ଦୀପିକାଙ୍କୁ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ବଲାର୍ଡ ଇଷ୍ଟେଟରେ ଥିବା NCB ଅଫିସରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି NCB। ସେସବୁକୁ ଆଧାର କରି ତଦନ୍ତର ଅଗ୍ରଗତି ହେବ ବୋଲି ସୂଚନା ମିଳିଛି।

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ପଛରେ ଡ୍ରଗ୍ସ ଲିଙ୍କ୍‌ ତଦନ୍ତ କ୍ରମରେ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ  NCB ତଦନ୍ତ କରୁଛି। ଡ୍ରଗ୍ସ ଲିଙ୍କ୍‌ ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ବେଳେ ବଲିଉଡ୍‌ର ବଡ଼ ବଡ଼ ଚେହାରେ ସାମ୍ନାକୁ ଆସିଥିଲା।

ବର୍ତ୍ତମାନ ସୁଦ୍ଧା ଡ୍ରଗ୍ସ ଲିଙ୍କ୍‌ ମାମଲାରେ NCB ୧୮ ଜଣଙ୍କୁ ଗିରଫ କରି ସାରିଲାଣି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତଦନ୍ତ ବେଳେ ସୁଶାନ୍ତଙ୍କ ଆର୍ଥିକ କାରବାରର ତଦନ୍ତ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡ୍ରଗ୍ସ କାରବାର ସମ୍ପର୍କରେ ସୁରାକ ପାଇଥିଲା। ଏହାପରେ ଏନେଇ ତଦନ୍ତ କରିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ NCBକୁ ଜଣାଇଥିଲା।

You might also like