ଧାନ ବିଲରେ ବିଧାୟକ; ଦାଆ ଧରି ଶ୍ରମିକଙ୍କ ସହ ଧାନ କାଟିଲେ

ନବରଙ୍ଗପୁର: ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ନିର୍ବାଚନମଣ୍ଡଳୀର ବିଧାୟକ ମନୋହର ରନ୍ଧାରୀ । ନିଜର ନିଆରା କାର୍ଯ୍ୟ ଶୈଳୀ ସକାଶେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ନିଜ ଜମିରେ ଦାଆ ଧରି ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରଲ ହେବାପରେ ସବୁରି ମୁହଁରେ ତାଙ୍କର  ପ୍ରଶଂସା।

ଗତ  ଅଗଷ୍ଟ ମାସରେ ମଧ୍ୟ ବିଧାୟକ ଉକ୍ତ ଜମିରେ ହଳ କରିବା, ଧାନ ରୋଇବା, ହିଡ଼ ସଜାଡ଼ିବା, ଖତ ମାରିବା ଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଥିଲା l ବର୍ତମାନ ଧାନ ଅମଳ ସମୟ ଆସିବାରୁ ନିଜେ ମଧ୍ୟ ଶ୍ରମିକ ମାନଙ୍କ ସହ ମିଶି ଦାଆ ଧରି ଧାନ କାଟୁଥିବା ଦେଖିବାକୁ ମିଳିଛି l ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡାସ୍ଥିତ ନିଜ ଚାଷ ଜମିରେ ଧାନ କାଟୁଛନ୍ତି ।  ନିଜେ ରହି ଧାନ ଅମଳ କଲେ ଆତ୍ମସନ୍ତୋଷ ମିଳେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି l

ମନୋହର ରନ୍ଧାରୀ ଜିଲ୍ଲାର ଜଣେ ଆଗଧାଡ଼ିର ନେତା ଓ ଦକ୍ଷ ସଂଗଠକ l ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସେ ନିଜର କିଛି ସମୟ ବାହାର କରି ନିଜ ପାରମ୍ପରିକ କାମରେ ଲାଗିଛନ୍ତି । ସେ  ପ୍ରମାଣ କରିଛନ୍ତି,  କୌଣସି  କାମ  ଛୋଟ  ନୁହଁ l

ସେ କହିଛନ୍ତି,  ରାଜନୀତି ସେ ଲୋକଙ୍କ ସେବା ପାଇଁ କରୁଛନ୍ତି । କିନ୍ତୁ ଚାଷ ହେଉଛି ତାଙ୍କ ଜୀବିକା l ତାଙ୍କର ନବରଙ୍ଗପୁର ବ୍ଲକ ପୂଜାରୀଗୁଡା ଓ ଅନ୍ୟାନ୍ୟ ଜାଗାରେ  ପୈତୃକ ସମ୍ପତ୍ତି 25 ଏକର ଜମି ରହିଛି l ସେ ଛୋଟ ବେଳୁ ବାପା, ଜେଜେ ବାପାଙ୍କ ସହ ଏହି କାର୍ଯ୍ୟ କରୁଥିଲେ l ବାପାଙ୍କ ଦେହାନ୍ତ ପରେ ଚଳିତ ବର୍ଷଠାରୁ ଜମି ଗୁଡିକର ଦାୟିତ୍ଵ ନେଇ ସେ ନିଜେ ଚାଷ କରୁଛନ୍ତି l

ଏହା ପୂର୍ବରୁ ବିଧାୟକ ନିଜେ କୋଦାଳ ଧରି ରାସ୍ତା ସମତୁଲ କରିବା, ହଷ୍ଟେଲ ଓ  ସ୍କୁଲକୁ ଯାଇ ରନ୍ଧା ଖାଦ୍ୟର ମାନ ପରଖିବା, ଲୋକମାନଙ୍କୁ ମଶାରୀ ବାଣ୍ଟିବା,  ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ଆଣିବା ଓ ଜମିରେ କାମ କରୁଥିବା ଦିନ ମଜୁରିଆମାନଙ୍କ ନିକଟରେ ଯାଇ ଜରି, ଶୁଖିଲା ଖାଦ୍ୟ ଓ ଦାଆ  ବାଣ୍ଟିବା ଇତ୍ୟାଦି କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି l ନବରଙ୍ଗପୁରର ଚାଷୀ ତାଙ୍କର ଏହି କାମକୁ ସାଲ୍ୟୁଟ କରୁଛନ୍ତି ।

 

You might also like