ପୁଅର ଖେଚେଡାମିରେ ମୀରା ଖପ୍ପା, ଶାହିଦ ଖୁସି

ନୂଆଦିଲ୍ଲୀ: ଶାହିଦ୍ କପୁରଙ୍କ ପତ୍ନୀ ମୀରା କପୁରଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ସେଲିବ୍ରିଟିଙ୍କ ଠାରୁ ବି କମ୍ ନୁହେଁ। ସୋସିଆଲ୍ ମିଡିଆରେ ସବୁବେଳେ ଚଳଚଞ୍ଚଳ ଥିବା ମୀରାଙ୍କର ଫଟୋ ଓ ଭିଡିଓ ବେଶ୍ ଭାଇରାଲ ହୋଇଥାଏ। ସେ କେବଳ ନିଜ ଫଟୋ ଓ ଭିଡିଓ ଯେ କରନ୍ତି ତାହା ନୁହେଁ, ଏହା ଛଡା ନିଜ ପିଲା ଓ ପରିବାର ସହିତ ମଧ୍ୟ ସେ ଫଟୋ ଉଠାଇବାକୁ ପସନ୍ଦ କରନ୍ତି। ନିକଟରେ ମୀରା ତାଙ୍କ ସୋସିଆଲ୍ ମିଡିଆ ପେଜରେ ଏକ ଭିଡିଓ ସେଆର୍ କରିଛନ୍ତି ଯେଉଁଥିରେ ତାଙ୍କ ପୁଅ ଜୈନ୍ ତାଙ୍କୁ ହଇରାଣ କରୁଥିବା ସେ କହିଛନ୍ତି। ଏହି ଭିଡିଓର ପ୍ରତିକ୍ରିୟା ରଖିବାକୁ ଯାଇ ଶାହିଦ ବହୁତ ମଜ୍ଜାଳିଆ ଉତ୍ତର ରଖିଛନ୍ତି।

ଏହି ଭିଡିଓରେ ମୀରା କହିଛନ୍ତି ଯେ ଇନଷ୍ଟାଗ୍ରାମକୁ ଆସିବା ପୂର୍ବରୁ ସେ ତାଙ୍କ ବିୟୁଟି ବ୍ଲେଡର୍(ମେକପ୍ ସ୍ପଞ୍ଜ୍) ଖୋଜୁଥିଲେ ଯାହା ତାଙ୍କୁ ମିଳୁ ନ ଥିଲା। ପରେ ଏହା ତାଙ୍କୁ ପିଲାଙ୍କ ଇନଫ୍ଲେଟେବଲ୍ ସୁଇମିଂ ପୁଲ୍ ପାଖରୁ ମିଳିଲା। କିନ୍ତୁ ଏହାର ଉପର ଅଂଶଟି କଟା ହେଇଥିଲା। ଏହି ଖେଚେଡାମି ତାଙ୍କ ପୁଅର ଥିଲା ବୋଲି ସେ ଭିଡିଓରେ କହିଛନ୍ତି। ପୁଅର ଏହି ବଦମାସୀ ସିନା ମାଆ ମୀରାଙ୍କ ପକ୍ଷେ ଅସହ୍ୟ ହେଲା କିନ୍ତୁ ବାପା ଶାହିଦ ବହୁତ ଖୁସି ହୋଇଥିବା ଜଣାଯାଇଛି। ସେ ଉତ୍ତରରେ ଲେଖିବାକୁ ଯାଇ କହିଛନ୍ତି ଯେ, “ଭଲ ହେଇଛି, ମୋ ପାଖେ ଯାହା କମ୍ ଥିଲା ସେ ପୂରା କରୁଛି ଆଉ ତମର ମନୋରଞ୍ଜନ କରୁଛି।”

ମୀରା ଓ ଶାହିଦଙ୍କ ଏହି ସୋସିଆଲ୍ ମିଡିଆ କଥାବାର୍ତ୍ତା ସବୁବେଳେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଏହି ଦମ୍ପତ୍ତି ସୋସିଆଲ୍ ମିଡିଆରେ ସବୁବେଳେ ଥଟାମଜ୍ଜା ହେଉଥିବା ଦେଖାଯାଏ। ମୀରା ଓ ଶାହିଦଙ୍କ ଏହି ପ୍ରେମଭରା ବାର୍ତ୍ତାଳାପ ସେମାନଙ୍କ ପ୍ରଶଂସକମାନଙ୍କୁ ବେଶ ପ୍ରଭାବିତ କରେ।

ପୂର୍ବରୁ ମୀରା ରାଜପୁତ ମୋନୋକନୀରେ ନିଜର ଏକ ଫଟୋ ସେଆର୍ କରି ଲୋକଙ୍କ ହୋସ୍ ଉଡାଇ ଦେଇଥିଲେ। ଫଟୋଟି ଏତେ ବୋଲ୍ଡ୍ ଆଉ ଗ୍ଲାମର୍ ଥିଲା ଯେ ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଥିଲେ।

ସେହିପରି ଶାହିଦଙ୍କ ଜର୍ସି ପିନ୍ଧା ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥିଲା। ସିନେମା ଜର୍ସି ପାଇଁ ଶାହିଦ୍ କ୍ରିକେଟ୍ ଅଭ୍ୟାସ କରୁଥିବା ବେଳେ ଏହି ଫଟୋ ଉଠିଥିଲା। ୨୦୨୦ ଡିସେମ୍ବରରେ ଶାହିଦ୍ ଏହି ଫିଲ୍ମର ସୁଟିଂ ପୂରା କରିଥିଲେ। ଏହି ସିନେମା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ଦର୍ଶକେ ଏହି ସିନେମାଟିକୁ ଖୁବ୍ ଶୀଘ୍ର ପରଦାରେ ଦେଖିବାର ସୁଯୋଗ ପାଇବେ।

You might also like