ଚିନ୍ତା ବଢାଉଛନ୍ତି ପ୍ରବାସୀ: ଗଳାବାଟ ଦେଇ ରାଜ୍ୟକୁ କରୁଛନ୍ତି ପ୍ରବେଶ

ଓଡ଼ିଶା ସୀମାରେ ଜୋରଦାର ଚେକିଂ

  • ସଂକ୍ରମଣର ସଙ୍କଟ ଭିତରେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି
  • କର୍ଫ୍ୟୁ ଓ ଲକ୍ଡାଉନ୍ ଭିତରେ ଘରମୁହାଁ ଶ୍ରମିକ
  • ଦିଲ୍ଲୀ ଆନନ୍ଦବିହାର ଟର୍ମିନାଲରେ ଅସମ୍ଭାଳ ଭିଡ଼
  • ଓଡ଼ିଶା ସୀମାରେ ଜୋରଦାର ଚେକିଂ
  • ଜିଲ୍ଲା ପରିଷଦ ଜୋନରେ ଖୋଲିବ କ୍ୱାରେଣ୍ଟିନ ସେଣ୍ଟର

ନୂଆଦିଲ୍ଲୀ: ଦେଶବ୍ୟାପି କରୋନା ସଂକ୍ରମଣର ସଙ୍କଟ ଭିତରେ ପ୍ରବାସୀ ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା। କେଉଁଠି କର୍ଫ୍ୟୁ ତ କେଉଁଠି ଲକ୍ଡାଉନ୍ ଭିତରେ ଘରମୁହାଁ ହେଉଛନ୍ତି ପ୍ରବାସୀ। ଫଳରେ ବସଷ୍ଟାଣ୍ଡରୁ ରେଳଷ୍ଟେସନ ଯାଏଁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଏଣେ ଆନ୍ତଃରାଜ୍ୟ ବସ୍ ସେବା ବନ୍ଦ ପରେ କିଛି ସ୍ଥାନରେ ଗଳାବାଟ ଦେଇ ରାଜ୍ୟକୁ ପ୍ରବେଶ କରୁଛନ୍ତି ପ୍ରବାସୀ। ପୂର୍ବବର୍ଷ ଭଳି ଦେଶବ୍ୟାପି ଶିଳ୍ପ ସହ ପରିବହନ ସେବା କାଳେ ଠପ୍ ହୋଇଯିବ, ସେହି ଆଶଙ୍କାରେ ସମସ୍ତେ ଘରମୁହାଁ। ଏପଟେ ପ୍ରବାସୀ ଶ୍ରମିକଙ୍କୁ ପୁଣି ଥରେ କ୍ୱାରେଣ୍ଟିନ ଯୋଜନା କରୁଛନ୍ତି ରାଜ୍ୟ ସରକାର।

ବଢ଼ିଚାଲିଥିବା ସଂକ୍ରମଣର ଭୟାବହତା ଭିତରେ କଡ଼ା ହେଉଛି କଟକଣା। ସଂକ୍ରମଣ ସ୍ଥିତିରେ ସୁଧାର ଆଣିବା ପାଇଁ କେଉଁଠି ଲଗାଯାଇଛି କର୍ଫ୍ୟୁ ତ ଆଉ କେଉଁଠି ଲକ୍ଡାଉନ୍ ସହ ସଟ୍ଡାଉନ୍। ଆଉ ଏସବୁ କଟକଣାକୁ ଦେଖି ଛାନିଆ ପ୍ରବାସୀ। ଏମିତି ଚିତ୍ର ଦିଲ୍ଲୀ ଆନନ୍ଦବିହାର ଟର୍ମିନାଲରେ ଦେଖିବାକୁ ମିଳିଛି। ଅସମ୍ଭାଳ ଭିଡ଼ ଲାଗିଛି ଏଠି। ଏମାନଙ୍କ ମଧ୍ୟରୁ କିଏ ବିହାର, ୟୁପି ରାଜ୍ୟର ତ ଆଉ କିଏ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ରହିଛନ୍ତି। ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ୍ ପରେ ଭିଟାମାଟିକୁ ଫେରିବାକୁ ଭିଡ଼ ଲଗାଇଛନ୍ତି ପ୍ରବାସୀ। ଅଜଣା ଆତଙ୍କ ଭିତରେ କାଳେ ଖାଇବା ଓ ରହିବାରେ ଅସୁବିଧା ହେବ, ସେହି ଆଶଙ୍କା କରି ଘରମୁହାଁ ସମସ୍ତେ ହୋଇଛନ୍ତି।

ଏଣେ ସୀମାନ୍ତ ଡେଇଁ ରାଜ୍ୟମୁହାଁ ହୋଇଛନ୍ତି ଓଡ଼ିଆ ପ୍ରବାସୀ। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଚେକଗେଟ୍‌ ଦେଇ ପଶ୍ଚିମବଙ୍ଗ ପଟୁ ପ୍ରବାସୀ ଆସୁଥିବାବେଳେ ମାଲକାନଗିରିର ମୋଟୁ ଏବଂ ଉମରକୋଟ ବ୍ଲକ ଦଣ୍ଡେସରା ଅଞ୍ଚଳକୁ ଛତିଶଗଡ଼ ପଟୁ ପ୍ରବେଶ କରୁଛନ୍ତି ପ୍ରବାସୀ । କିଏ ଗାଡ଼ି ଭଡ଼ା କରି ସୀମା ଯାଏଁ ଆସୁଛନ୍ତି ତ ଆଉ କିଏ  ଚାଲି ଚାଲି ଘରକୁ ଫେରୁଛନ୍ତି। ଅବଶ୍ୟ ସବୁଠି କଡ଼ା ପହରା ଦିଆଯାଇଛି। ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ କିମ୍ବା ଅନ୍ୟ ଆବଶ୍ୟକୀୟ ରିପୋର୍ଟ ଦେଖାଇବା ପରେ ଛଡ଼ାଯାଉଛି। ତଥାପି କିଛି ସ୍ଥାନରେ ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ଲୋକେ। ଆନ୍ତଃରାଜ୍ୟ ବସ୍ ବନ୍ଦ ସତ୍ତ୍ୱେ ପଶ୍ଚିମବଙ୍ଗରୁ ଓଡ଼ିଶା ପ୍ରବେଶ କରିଥିବା ୩ଟି ବସରୁ ୯୨ ହଜାର ଟଙ୍କା ଜରିମାନା ଆଦାୟ କରିଛି ବାଲେଶ୍ୱର ପରିବହନ ବିଭାଗ।

ତେବେ ଓଡ଼ିଶା ମୁହାଁ ପ୍ରବାସୀଙ୍କ ସ୍ଥିତିକୁ ଦେଖି ରାଜ୍ୟରେ ପୁଣି ଥରେ କ୍ୱାରେଣ୍ଟିନ୍ ସେଣ୍ଟର ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର।ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ କ୍ୱାରେଣ୍ଟିନ ସେଣ୍ଟର କରାଯିବ ବୋଲି ସୂଚନା ମିଳିଛି। ଗତବର୍ଷ ୯ ଲକ୍ଷ ପ୍ରବାସୀ ଓଡ଼ିଶା ଆସିଥିବାବେଳେ ଏଥର ତାଠୁ କମ୍ ଆସିପାରନ୍ତି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ।

କରୋନାର ସଙ୍କଟ ଭିତରେ ୨୦୨୦ରେ ସାଂଘାତିକ ସ୍ଥିତି ଭୋଗିଥିଲେ ପ୍ରବାସ ଫେରନ୍ତା। ଶିଳ୍ପ କାରଖାନା ବନ୍ଦ ହୋଇଯିବା ପରେ ଉଜୁଡ଼ିଯାଇଥିଲା ଜୀବିକା। ପରିବହନ ସେବା ନଥିବାରୁ ମାଇଲ୍ ମାଇଲ୍ ବାଟ ଚାଲିଥିଲେ ଶ୍ରମିକ। ତେଣୁ ଏବର୍ଷ ଏଯାଏଁ ସେଭଳି ସ୍ଥିତି ଉପୁଜିନଥିବାରୁ ଶ୍ରମିକଙ୍କୁ ଆତଙ୍କିତ ନହେବାକୁ କହିବା ସହ ଯିଏ ଯେଉଁଠି ଅଛନ୍ତି, ସେଇଠି ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ବି ଦେଇଛନ୍ତି।

You might also like