Israel-Hamas Conflict: ୪୦ ମିନିଟ୍‌ରେ ୪୫୦ ମିସାଇଲ ମାଡ଼ କଲା ଇସ୍ରାଏଲ

ଜେରୁଜେଲମ: ଅନେକ ଚେଷ୍ଟା ସତ୍ତ୍ୱେ ଏବେ ବି ଇସ୍ରାଏଲ ଏବଂ ହମାସ ମଧ୍ୟରେ ସଂଘର୍ଷ ଥମିବାର ନାଁ ଧରୁନି । ଗତ ରାତିରେ ଇସ୍ରାଏଲ ପକ୍ଷରୁ ହମାସ ଉପରକୁ ଜୋରଦାର ଆକ୍ରମଣ କରାଯାଇଛି । ମାତ୍ର ୪୦ ମିନିଟରେ ୪୫୦ ମିସାଇଲ ମାଡ଼ କରିଛି ଇସ୍ରାଏଲ । ଏହି ମିସାଇଲ ମାଡ଼ ଦ୍ୱାରା ହମାସର ୧୫୦ରୁ ଅଧିକ ଠିକଣାକୁ ଧ୍ୱଂସ କରିବା ସହ ବଡ଼ କ୍ଷତି ଘଟାଇଛି ଇସ୍ରାଏଲ ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ, କ୍ଷେପଣାସ୍ତ୍ର ମାଧ୍ୟମରେ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଆକ୍ରମଣଠାରୁ ଏହା ସବୁଠାରୁ ଭୟଙ୍କର ବା ବଡ଼ ଆକ୍ରମଣ ଥିଲା । ଏହି ଆକ୍ରମଣରେ ହମାସର ଅନେକ ସୁଡ଼ଙ୍ଗ ଏବଂ ବଙ୍କର ଗୁଡ଼ିକୁ ନଷ୍ଟ କରିଦିଆଯାଇଛି । ହମାସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ, ହମାସର ସବୁ ରକେଟ୍‌କୁ ଇସ୍ରାଏଲ ନିଜ ଆଇରନ୍‌ ଡୋମ୍‌ ଏରିୟଲ ଡିଫେନ୍ସ ସିଷ୍ଟମ୍‌ ଦ୍ୱାରା ଆକାଶରେ ହିଁ ଧ୍ୱଂସ କରିବାରେ ସଫଳ ହୋଇଛି । ହେଲେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଗାଜାରେ ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶିଯାଇଛି ।

ଇସ୍ରାଏଲ ସେନା ଆକ୍ରମଣରେ ଗାଜାରେ ଏବେ ସୁଦ୍ଧା ୧୧୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଥିମଧ୍ୟରେ ୩୧ ଜଣ ଶିଶୁ ରହିଥିବା ବେଳେ ୧୯ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି । ଗତ ୪ ଦିନ ମଧ୍ୟରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକରେ ଏହିସବୁ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଇସ୍ରାଏଲର ମଧ୍ୟ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । କେବଳ ଏତିକି ନୁହେଁ, ଇସ୍ରାଏଲର ଅନେକ ସହରରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ଅନେକ ସ୍ଥାନରେ ଯିହୁଦୀ ଏବଂ ଆରବଙ୍କ ମଧ୍ୟରେ ସଂଘର୍ଷର ଖବର ଶୁଣିବାକୁ ମିଳିଛି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ଦ୍ୱାରା କରାଯାଇଥିବା ଆକ୍ରମଣରେ ୮୦୦ରୁ ଅଧିକ ସାଧାରଣ ନାଗରିକ ଆହତ ମଧ୍ୟ ହୋଇଛନ୍ତି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ବିଶ୍ୱର ଅନେକ ନେତା ଶାନ୍ତି ପାଇଁ ନିବେଦନ କରିଛନ୍ତି ।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଉଭୟ ଇସ୍ରାଏଲ ଏବଂ ଫଲିସ୍ତିନଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛନ୍ତି । ମାକ୍ରୋନ୍ ଉଭୟ ଆରବୀ ଏବଂ ହିବ୍ରୁ ଭାଷାରେ ପୃଥକ ଭାବରେ ଟ୍ୱିଟ୍ କରି ତୁରନ୍ତ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ମାକ୍ରୋନ୍ ଲେଖିଛନ୍ତି ଯେ, ମଧ୍ୟପୂର୍ବ ଦେଶଗୁଡିକରେ ହିଂସା ଚକ୍ର ତୁରନ୍ତ ବନ୍ଦ ହେବା ଉଚିତ୍ । ମୁଁ ଅସ୍ତ୍ରବିରତି ସହ ଆଲୋଚନା ପାଇଁ ଦାବି କରୁଛି । ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ମୁଁ ଦାବି କରୁଛି । ତେବେ ଏ ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ହାମାସ ପକ୍ଷରୁ ଶାନ୍ତିର କୌଣସି ସଙ୍କେତ ମିଳିନାହିଁ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ହାମାସକୁ ଚେତାବନୀ ଦେଇ କହିଛନ୍ତି ଯେ, ଏଭଳି ଆକ୍ରାମକତା ପାଇଁ ଭାରି ମୂଲ୍ୟ ଦେବାକୁ ପଡିବ ।

You might also like