ମାଓବାଦୀଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣ: ଜଣେ ଯବାନ ଆହତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ହିଂସାକାଣ୍ଡ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ହିଂସାକାଣ୍ଡ। ମାଓବାଦୀଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ୩୦ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗଙ୍ଗଲୁରୁ ଗାଁ ପାଖରେ ରାସ୍ତା ନିର୍ମାଣ ଚାଲିଥିବାବେଳେ, ଏହାକୁ ସୁରକ୍ଷା ଦେବା ଲାଗି ଯବାନମାନେ ଅପରେସନରେ ଯାଉଥିବାବେଳେ ସିରିଜ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ ମାଓବାଦୀ।

ତେବେ ସୌଭାଗ୍ୟବଶତଃ ଯବାନମାନେ ଅଳ୍ପକେ ରକ୍ଷା ପାଇଥିବାବେଳେ ଜଣେ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ୧୦ କିଲୋରୁ ଅଧିକ ଓଜନର ବମ୍ ଉଦ୍ଧାର କରିଛନ୍ତି ଯବାନ। ଏହାପରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି।

କେବଳ ଏବେ ନୁହେଁ ବରଂ ବହୁପୂର୍ବରୁ, ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଆଲମପକାରେ ପୋଲିସ- ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମାଓବାଦୀ ନିହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ବି କରାଯାଇଥିଲା। ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ସର୍ଚ୍ଚ ଅପରେସନ ଜାରି ରଖିଥିଲେ ଯବାନ। ସ୍ପେଶାଲ ଅପରେଶନ ଗ୍ରୁପ୍(SOG)  ଓ ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରି ଫୋର୍ସ (DVF) ମିଳିତ ଟିମ୍ ଏହି ସର୍ଚ୍ଚ ଅପରେସନ କରିଥିଲେ।

ମିଳିଥିବା ରିପୋର୍ଟ ଅନୁସାରେ, ଏସ୍‌ଓଜି ଓ ଡିଭିଏଫ ଜବାନ ମିଳିତ ଅପରେସନ କରୁଥିବାବେଳେ ମାଓବାଦୀମାନେ ଗୁଳି ଚଳାଇଥିଲେ। ଏହା ପରେ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା।

ସୂଚନାଥାଉ କି, ପୂର୍ବରୁ ଅକ୍ଟୋବର ୨୮ ତାରିଖ ସ୍ୱାଭିମାନ ଅଞ୍ଚଳର ଭିମରାମ ରିଜର୍ଭ ଫରେଷ୍ଟରେ ମାଓବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ସମୟରେ ବିପୁଳମାତ୍ରାରେ ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।

You might also like