‘ସଙ୍ଗରୋଧ’ କଥା ଏମାନଙ୍କୁ ଅଜଣା, କ୍ୱାରେଣ୍ଟିନ ସେଣ୍ଟର କାହା ପାଇଁ?

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ, ଲମ୍ବ ଡିଆଁ ମାରି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏ ସଂକ୍ରାମକ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି କି ସଂଗରୋଧ ନିୟମର ଉଲ୍ଲଂଘନ? ଚିନ୍ତାର କାରଣ-ବିନା ରେଜିଷ୍ଟ୍ରେସନ କି ବିନା କ୍ୱାରେଣ୍ଟାଇନରେ ସିଧା ଘରେ ପଶୁଛନ୍ତି।

ରାଜ୍ୟରେ ରାକ୍ଷସ ଭଳି ଜିହ୍ୱା ଲହ ଲହ କରି ମାଡ଼ି ଚାଲିଛି କରୋନା। ଯାହାର ଅନ୍ୟତମ କାରଣ ସାଜିଛି କ୍ୱାରେଣ୍ଟିନ ନିୟମର ଖୋଲାଖୋଲି ଉଲ୍ଲଂଘନ। ସଚେତନତା ଅଭାବରୁ ହେଉ ବା ଜାଣିଶୁଣି, ବାହାର ରାଜ୍ୟରୁ ଫେରୁଥିବା ଅନେକ ପ୍ରବାସୀ ନାଁ ରେଜିଷ୍ଟ୍ରେସନ କରୁନାହାନ୍ତି କି କ୍ୱାରେଣ୍ଟାଇନ୍ ସେଣ୍ଟର ନଯାଇ ସିଧା ଘରେ ପଶୁଥିବାରୁ ବଢୁଛି ଚିନ୍ତା।

ପ୍ରବାସୀ ଓଡିଆ କିଏ ବସ୍ ଓ ଟ୍ରେନ ଓହ୍ଲାଇ ସିଧା ଘର ମୁହାଁ ହେଉଛି ତ ପୁଣି କିଏ ଚାଲି ଚାଲି ଆସି ରାତି ଅଧରେ ଘରେ ପଶିଲାଣି। ରାଜ୍ୟରେ ସଂକ୍ରମଣରେ ସର୍ବାଗ୍ରେ ଥିବା ଗଞ୍ଜାମ ଜିଲ୍ଲାରେ ଏଭଳି ଅଭିଯୋଗର ତାଲିକା ବେଶ୍ ଲମ୍ବା। ଏହି ଜିଲ୍ଲା ଅନ୍ତର୍ଗତ ବବନପୁର ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟର ବେଡ୍ ପ୍ରସ୍ତୁତ, ସବୁ ସୁବିଧା ବି ଅଛି ହେଲେ ସବୁ ବେଡ୍ ଫାଙ୍କା କାରଣ ଲୁଚିଛପି ଫେରିଥିବା ପ୍ରବାସୀ ଆସିବାକୁ ଅମଙ୍ଗ। ଯେନତେନ ପ୍ରକାରେ ସେମାନଙ୍କୁ ବୁଝାଇ ଆଣିବାକୁ ଚେଷ୍ଟା ଚାଲିଥିବା କହିଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ।

ସେହିପରି କୋରାପୁଟ ଜିଲ୍ଲା ଜୟପୁର ଓ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଛକର ଖୁଣ୍ଟାରେ ପହଞ୍ଚିଥିବା ୨୦ଜଣ ଯାକ ଶ୍ରମିକ ଓଡ଼ିଆ ଓ ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳର ଧାନବାଦରୁ ସପ୍ତାହେ ତଳୁ ଘର ମୁହାଁ ହୋଇଥିଲେ।

ସାତ ଦିନ ସାତ ରାତି ଚାଲି ଚାଲି ଖୁଣ୍ଟାରେ ପହଞ୍ଚିଛନ୍ତି କିନ୍ତୁ ଆଶ୍ଚର୍ଯ୍ୟର କଥା, ଏମାନଙ୍କ ଭିତରୁ ନା କେହି ଆଗୁଆ କ୍ୱାରେଣ୍ଟିନରେ ରହିବାକୁ ନାଁ ରେଜିଷ୍ଟ୍ରେସନ କରିଛନ୍ତି ନା ସଂଗରୋଧ ବିଷୟରେ ବି କିଛି ଜାଣନ୍ତି। ସଂଗରୋଧ କଣ ଜାଣୁନଥିବାରୁ ଏଭଳି ଶ୍ରମିକଙ୍କୁ ନେଇ ବଢୁଛି ଚିନ୍ତା।

କିଏ ଚାଲିଚାଲି, ତ କିଏ ଟ୍ରେନ୍ କିମ୍ବା ବସରେ ପୁଣି କିଏ ଲୁଚିଛପି ଶ୍ରମିକ ହୁଅନ୍ତୁ କି ପ୍ରବାସୀ, ଯେଉଁ ଉପାୟରେ ଫେରନ୍ତୁ ନା କାହିଁକି, ଏମାନେ ବି ହୋଇଥାଇପାରନ୍ତି। କରୋନା ସଂକ୍ରମଣର ଶିକାର ତେଣୁ ସଂଗରୋଧ ନିତ୍ୟାନ୍ତ ଜରୁରୀ ବୋଲି ସ୍ପଷ୍ଟ ମତ ରଖିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣେ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବାକୁ ହୋଇଛି ବ୍ୟାପକ ବ୍ୟବସ୍ଥା ସାଙ୍ଗକୁ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା ନିୟମ ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

You might also like