ସ୍ଥିତି ସଙ୍ଗୀନ: ଶ୍ମଶାନରେ ଶବର ଲାଗିଛି ଲମ୍ବା ଲାଇନ୍‌

ଲାଗିଛି ଲାଇନ୍‌

ମୁମ୍ବାଇ: କରୋନା। ଏହି ନାଁ ଶୁଣିଲେ ଏବେ ସମସ୍ତଙ୍କ ଛାତିରେ ଛନକା ପଶିଛି। ମହାମାରୀ ନିଜ ଉଗ୍ର ରୂପ ଏପରି ଭାବରେ ଦେଖାଉଛି ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ସଫଳ ମୁକାବିଲା କେମିତି କରାଯାଇପାରିବ ସେନେଇ ଘନ ଘନ ବୈଠକ ଓ ସମୀକ୍ଷା କରିବାରେ ବ୍ୟସ୍ତ ଅଛନ୍ତି। ହେଲେ, ଏହାରି ମଧ୍ୟରେ କରୋନା ନିଜର ପଞ୍ଝାରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି। ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ ଓ ଦିଲ୍ଲୀର ସ୍ଥିତି ସଙ୍ଗୀନ ହେଲାଣି। ମେଡିକାଲଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ଯେଉଁ ଆଡ଼େ ଦେଖିବେ କେବଳ କରୋନା ସଂକ୍ରମିତ, ତାଙ୍କ ପରିବାର ଓ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଶବ ଦେଖିବାକୁ ମିଳୁଛି। ଏବେ ଶ୍ମଶାନର ଦୃଶ୍ୟକୁ ଯିଏ ଦେଖୁଛି ସିଏ ବି ତାଜୁବ ହୋଇଯାଉଛି।

କାରଣ ଶ୍ମଶାନ ଘାଟରେ ଦିନେ ଯେଉଁଠି କୁଆ କି କୋଇଲିର ଦେଖା ମିଳୁନଥିଲା ସେଠି ଏବେ ଶହଶହ ଶବ ସହ ପରିବାରର ଆକୁଳ ବେଦନାର ଶବ୍ଦ ଓ ଚିତ୍କାର ଶୁଣିବାକୁ ମିଳୁଛି। ଶବ ଦାହ କରିବା ଲାଗି ମହାରାଷ୍ଟ୍ରର ବିଭିନ୍ନ ଶ୍ମଶାନରେ ଲାଗୁଛି ଲମ୍ବା ଲାଇନ୍‌। ସୂଚନା ଅନୁସାରେ, ସକାଳେ ଶବ ଦାହ କରିବାକୁ ଆସୁଥିଲେ ସେମାନଙ୍କୁ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। କେହି କେହି ଶବ ଦାହ କରିବାକୁ ହାତ ଯୋଡ଼ି ନେହୁରା ହେଉଥିବା ବେଳେ କେହି କେହି ନିଜ ସଂପର୍କୀୟଙ୍କ ଶବ ଦାହକୁ କାହିଁକି  ଏତେ ବିଳମ୍ବ କରାଯାଉଛି ତାହାକୁ ନେଇ ପାଟିତୁଣ୍ଡ କରୁଥିବା ଦେଖାଯାଉଛି।

କହିବାକୁ ଗଲେ ମହାରାଷ୍ଟ୍ରରେ ସ୍ଥିତି ଏକଦମ୍‌ ଭୟାନକ ହେଲାଣି। ଶ୍ମଶାନ ଘାଟରେ ଗୋଟିଏ ଶବ ସଠିକ୍‌ ଭାବରେ ଦାହ ସଂସ୍କାର ହୋଇନଥିବା ବେଳେ ତାହା ଉପରେ ପୁଣି ଗୋଟାଏ ଶବ ଦାହ କରିବାକୁ ପଡୁଛି। ଏଥିରୁ ଆପଣ କଳ୍ପନା କରନ୍ତୁ କି କେମିତି ହେଲାଣି ସ୍ଥିତି? ସେପଟେ କରୋନାକୁ ନିୟନ୍ତ୍ରିତ କରିବା ଲାଗି ସ୍ଥାନୀୟ ସରକାର ମଧ୍ୟ ଅନେକ ପଦକ୍ଷେପ ନେଲେଣି କିନ୍ତୁ ସ୍ଥିତି ଜଟିଳ ହେବାରେ ଲାଗିଛି। ପୂର୍ବବର୍ଷରେ ଖାଇବାକୁ ନପାଇଥିବାରୁ ଏବେ ପ୍ରବାସୀମାନେ ଲକ୍ଷଲକ୍ଷ ସଂଖ୍ୟାରେ  ମହାରାଷ୍ଟ୍ର ଛାଡୁଥିବା ଦେଖିବାକୁ ମିଳୁଛି।

ତେବେ ଭ୍ୟାକ୍ସିନ ନେବା ପରେ ବି ଅନେକ ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିବା କୁହାଯାଉଛି। ତେଣୁ ଆଗାମୀ ଦିନରେ ସରକାର କି ପଦକ୍ଷେପ ନେଉଛନ୍ତି ଏହି ଅଦୃଶ୍ୟ ଶକ୍ତିର ମୁକାବିଲା କରିବା ଲାଗି ତାହା ଦେଖିବାକୁ ବାକି ରହିଲା। ମୋଟ୍‌  ଉପରେ କହିବାକୁ ଗଲେ, କରୋନାରେ ତ୍ରାହି ତ୍ରାହି ଡାକିଲେଣି ମହାରାଷ୍ଟ୍ର ରାଜ୍ୟବାସୀ।

You might also like