କାଲିଠୁ ଖୋଲିବ ଘଟଗାଁ ମା’ ତାରିଣୀ ମନ୍ଦିର, ଗାଇଡ୍‌ଲାଇନ୍‌ ଜାରି

କେନ୍ଦୁଝର(ପ୍ରଣୟ କୁମାର ପାଣି): ଆସନ୍ତାକାଲିଠୁ ଖୋଲିବ ଘଟଗାଁର ମା’ ତାରିଣୀଙ୍କ ପୀଠ। ଦୀର୍ଘ ୧୦ ମାସ ପରେ ମନ୍ଦିର ଖୋଲୁ ଥିବାରୁ ପ୍ରଥମେ ପୂଜକଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ସୁଯୋଗ ଦିଆଯିବ। ଏହାପରେ ସାଧାରଣ ଲୋକ ମା’ଙ୍କ ଦର୍ଶନ କରିପାରିବେ। ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ଜାଣନ୍ତୁ କ’ଣ ରହିଛି ଗାଇଡ୍‌ଲାଇନ୍‌….

  • ସରକାରଙ୍କ COVID19 ନିୟମ ଅନୁଯାୟୀ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ।
  • ସାଧାରଣ ଦର୍ଶନ ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ରହିବ।
  • ମନ୍ଦିର ମଧ୍ୟରେ କୌଣସି ଭୋଗ ଅର୍ଥାତ୍‌ ପୁଷ୍ପ, ନଡ଼ିଆ, ଦୀପ, ଧୂପ ଇତ୍ୟାଦି ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିସହ କୌଣସି ଭକ୍ତ ପାଦୁକା ସେବନ କରିପାରିବେ ନାହିଁ କିମ୍ବା ସିନ୍ଦୁର, ଚନ୍ଦନ ଲଗାଇବେ ନାହିଁ।
  • ମନ୍ଦିର ଭିତରକୁ ୧୦ ବର୍ଷରୁ କମ୍‌ ବୟସର ପିଲା ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ହେଉଥିବା ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ।
  • ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ଗୁଡ଼ିକ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ।
  • ମା’ଙ୍କର ସକାଳ ଆଳତୀ, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀରେ କୌଣସି ଭକ୍ତ ଉପସ୍ଥିତ ରହିବେ ନାହିଁ। 

ଅନ୍ୟପକ୍ଷରେ, ଆସନ୍ତା ଜାନୁଆରୀ ୨୧ ତାରିଖରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ୍ ରିପୋର୍ଟ କଟକଣା ହଠାଇ ଦିଆଯାଇଛି। ସମୀକ୍ଷା ବୈଠକ ପରେ ଏସଂପର୍କରେ କିଛିଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ଏବେ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ଦରକାର ପଡ଼ୁଛି। ତେବେ ଜାନୁଆରୀ ୨୧ରୁ ଏହି କଟକଣା ହଟିବା ସହ ଆଗକୁ ଆଉ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ନୁହେଁ।

You might also like